Hot Posts

6/recent/ticker-posts

ଡାକ୍ତରଙ୍କୁ ହାତଗୋଡ଼ ବାନ୍ଧି ଘରେ ଲୁଟ

ଧର୍ମଗଡ଼, ୧୧/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଲୁଟେରାଙ୍କ ଆତଙ୍କ। ବିଳମ୍ବିତ ରାତିରେ ଜଣେ ଡାକ୍ତରଙ୍କ ଘରେ ପଶି ତାଙ୍କର ହାତଗୋଡ଼ ବାନ୍ଧି ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଅଜିତ କୁମାର ଦାଶଙ୍କ ଘରେ ଏହି ଲୁଟ୍‌କାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରେ ପଶି ପ୍ରଥମେ ଡାକ୍ତରଙ୍କ ହାତ ଓ ଗୋଡ଼ ବାନ୍ଧି ଦେଇଥିଲେ। ପରେ ଘରେ ଥିବା ପ୍ରାୟ ୭୨ ହଜାର ଟଙ୍କା ନଗଦ ଏବଂ ପ୍ରାୟ ୫୪ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ଧର୍ମଗଡ଼ ଥାନା ପୋଲିସ ବୈଜ୍ଞାନିକ ତଦନ୍ତ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।