Hot Posts

6/recent/ticker-posts

ଚାଷ ଜମିର ତାର ବାଡ଼ରେ ଫସିଲା ଭାଲୁ, ବନ ବିଭାଗ ର ସଫଳ ଉଦ୍ଧାର

କେସିଙ୍ଗା, ୧୧/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନାଞ୍ଚଳର କିନେରକେଲା ଗ୍ରାମରେ ଏକ ଚାଷ ଜମିର ତାର ବାଡ଼ରେ ଫସିଯାଇଥିଲା ଏକ ବନ୍ୟ ଭାଲୁ। ଖବର ପାଇ ବନ ବିଭାଗ ଓ ରାପିଡ଼ ଏକ୍ସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରାଙ୍କୁଲାଇଜ୍ କରି ଭାଲୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ପ୍ରାଥମିକ ଚିକିତ୍ସା ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଆଜି ସକାଳେ କିନେରକେଲା ଗ୍ରାମର ସ୍ଥାନୀୟ ଲୋକେ ଚାଷ ଜମିକୁ ଯାଇଥିବା ବେଳେ ଏକ ବନ୍ୟ ଭାଲୁ ତାର ବାଡ଼ରେ ଫସି ଛଟପଟ ହେଉଥିବା ଦେଖିଥିଲେ। ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ କେସିଙ୍ଗା ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ଭାଲୁଟି ଉତ୍ୟକ୍ତ ଥିବାରୁ ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ସ୍ଥାନୀୟ ଲୋକଙ୍କୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା। ପରେ ରାପିଡ଼ ଏକ୍ସନ ଟିମ୍ ଓ ବିଶେଷଜ୍ଞମାନେ ପହଞ୍ଚି ଭାଲୁଟିକୁ ଟ୍ରାଙ୍କୁଲାଇଜ୍ କରିଥିଲେ। ଅଚେତ ହେବା ପରେ ତାର ବାଡ଼ରୁ ସୁରକ୍ଷିତ ଭାବେ ଭାଲୁଟିକୁ ମୁକ୍ତ କରାଯାଇଥିଲା। ତାର ବାଡ଼ରେ ଫସି ଭାଲୁଟି ସାମାନ୍ୟ ଆହତ ହୋଇଥିବାରୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଭାଲୁଟିକୁ ସୁସ୍ଥ ଅବସ୍ଥାରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।