ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣିରେ ୧୬୬ଟି ଅଭିଯୋଗ ଗ୍ରହଣ
ଭଞ୍ଜନଗର, ୨୦/୦୭ ( ଜେ. କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ କୀର୍ତ୍ତି ୱାସନ ଭି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ପ୍ରୋବେସନାରୀ ଆଇ.ଏ.ଏସ୍. ସରନ୍ୟା ସର୍ବଣା, ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଏବଂ ଭଞ୍ଜନଗରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ପ୍ରମୁଖ ଉପସ୍ଥିତ ରହି ମୋଟ ୧୬୬ଟି ଅଭିଯୋଗର ଶୁଣାଣି କରିଥିଲେ। ପ୍ରାପ୍ତ ଅଭିଯୋଗ ମଧ୍ୟରୁ ୧୪୭ଟି ବ୍ୟକ୍ତିଗତ, ୧୦ଟି ସାମୂହିକ, ୮ଟି ରେଡକ୍ରସ ସହାୟତା ସମ୍ବନ୍ଧୀୟ ଥିବାବେଳେ ଗୋଟିଏ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗ ଗୁଡ଼ିକର ଶୀଘ୍ର ଏବଂ ଫଳପ୍ରଦ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ଏହି ଅବସରରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୮ ଜଣ ହିତାଧିକାରୀଙ୍କୁ ମୋଟ ୪୭,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଶିବିରରେ ଉପସ୍ଥିତ ଜନସାଧାରଣ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଭତ୍ତା, ଖାଦ୍ୟ ସୁରକ୍ଷା, ଗୃହ ନିର୍ମାଣ, ଜୀବିକା ମିଶନ, ରାଜସ୍ୱ ଏବଂ ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିଙ୍ଗାପୁରମ ହରି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବେଲଗୁଣ୍ଠା ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ବ୍ଲକ କାର୍ଯ୍ୟାଳୟର କର୍ମଚାରୀମାନେ ଜନ ଶୁଣାଣି ଶିବିର ସୁପରିଚାଳନାରେ ସହଯୋଗ କରିଥିଲେ।