Hot Posts

6/recent/ticker-posts

ଅନାଥ ତିନି କଅଁଳ ସନ୍ତାନଙ୍କ ଆଖିରେ ଲୁହ,ପଞ୍ଚାୟତ ଓ ପ୍ରଶାସନର ସହାୟତା ଦାବି

ଭବାନୀପାଟଣା, ୨୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢ଼ିଦର ଗ୍ରାମ ପଞ୍ଚାୟତର ତେତେଲପଡ଼ା ଗାଁରୁ ଆସିଛି ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା। ଏହି ଗାଁର ନିବାସୀ ଲଳିତା ନାଏକଙ୍କ ପରଲୋକ ପରେ ତାଙ୍କର ତିନି କଅଁଳ ସନ୍ତାନ ସମ୍ପୂର୍ଣ୍ଣ ଅନାଥ ହୋଇପଡ଼ିଛନ୍ତି। ତିନି ବର୍ଷ ପୂର୍ବେ ପରିବାରର ମୁଖ୍ୟ ଫକୀର ନାଏକଙ୍କ ମୃତ୍ୟୁ ଘଟିଥିଲା। ସେହି ଦୁଃଖକୁ ଛାତିରେ ଚାପି ଲଳିତା ନାଏକ ଅନେକ କଷ୍ଟ, ଅଭାବ ଓ ସଂଘର୍ଷ ମଧ୍ୟରେ ନିଜ ତିନି ସନ୍ତାନଙ୍କୁ ଲାଳନ ପାଳନ କରିଆସୁଥିଲେ। କିନ୍ତୁ ଗତକାଲି ସେ ମଧ୍ୟ ଆରପାରିକୁ ଚାଲିଯିବା ପରେ ତିନି କଅଁଳ ଛୁଆଙ୍କ ମୁଣ୍ଡ ଉପରୁ ବାପା ମା'ଙ୍କ ସ୍ନେହ, ସୁରକ୍ଷା ଓ ଆଶ୍ରୟ ସବୁଦିନ ପାଇଁ ହଟିଯାଇଛି। ଘର ଭିତରେ ଏବେ ନୀରବତା,ଆଖିରେ ଲୁହ ଓ ଆଗାମୀ ଦିନର ଅନିଶ୍ଚିତତା। ବୟସ ବୁଝିବା ପୂର୍ବରୁ ଏହି ତିନି ନିରୀହ ଶିଶୁ ଜୀବନର ସବୁଠୁ ବଡ଼ ଦୁଃଖର ସମ୍ମୁଖୀନ ହୋଇଛନ୍ତି। ଆଜି ସେମାନଙ୍କୁ ସାନ୍ତ୍ୱନା ଦେବାକୁ ବାପା ନାହାନ୍ତି, ମା'ର ସ୍ନେହଭରା ହାତ ମଧ୍ୟ ନାହିଁ। ଭୋକ ଲାଗିଲେ କିଏ ଖାଇବା ଦେବ, ଦେହ ଖରାପ ହେଲେ କିଏ ଚିକିତ୍ସା କରିବ, ସ୍କୁଲକୁ କିଏ ପଠାଇବ ଏହି ପ୍ରଶ୍ନଗୁଡ଼ିକ ଆଜି ସମସ୍ତଙ୍କ ମନକୁ ବିଚଳିତ କରୁଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଫକୀର ନାଏକଙ୍କ ମୃତ୍ୟୁ ପରେ ଲଳିତା ନାଏକ ଦିନମଜୁରି କରି, କେବେ ପଡ଼ୋଶୀଙ୍କ ସହାୟତା ନେଇ ତ କେବେ ନଖାଇ ରହି ନିଜ ସନ୍ତାନଙ୍କ ମୁହଁରେ ଦାନା ଦେଇଥିଲେ। ଦାରିଦ୍ର୍ୟ ଓ ଅଭାବ ତାଙ୍କ ପରିବାରର ନିତିଦିନିଆ ସାଥୀ ହୋଇଥିଲା। ତଥାପି ମା' ଭାବରେ ସେ ନିଜ ସନ୍ତାନଙ୍କୁ ବଞ୍ଚାଇ ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ। ଭାଗ୍ୟର ନିଷ୍ଠୁର ପରିହାସ ଆଗରେ ଶେଷରେ ସେ ହାର ମାନି ଆଖି ବୁଜିଦେଲେ। ବର୍ତ୍ତମାନ ଏହି ପରିବାରର ନିଜର ବୋଲି କେହି ନାହାନ୍ତି। ସରକାରୀ ସହାୟତା କହିଲେ କେବଳ ରାସନ ଯୋଜନାରେ ମିଳୁଥିବା ୫ କେଜି ଚାଉଳ। କିନ୍ତୁ କେବଳ ଚାଉଳରେ କେବେ ଜୀବନ ଚାଲେ ନାହିଁ। ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ପୋଷାକ, ଶିକ୍ଷା, ପୁସ୍ତକ, ଔଷଧ, ବାସସ୍ଥାନ ଓ ଦୈନନ୍ଦିନ ଖର୍ଚ୍ଚର ଆବଶ୍ୟକତା ରହିଛି। ଏହି ସମସ୍ତ ଖର୍ଚ୍ଚ କିପରି ପୂରଣ ହେବ, ତାହାକୁ ନେଇ ସମଗ୍ର ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ତିନି ଅନାଥ ସନ୍ତାନଙ୍କୁ ତୁରନ୍ତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବା ସହିତ ମାସିକ ଭତ୍ତା, ଶିକ୍ଷା ସହାୟତା, ବାସଗୃହ, ଖାଦ୍ୟ ସୁରକ୍ଷା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ସୁବିଧା ଯୋଗାଇ ଦିଆଯିବା ଆବଶ୍ୟକ। ଏହାସହ ପଞ୍ଚାୟତ ପ୍ରଶାସନ, ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହି ପରିବାରର ସ୍ଥିତିକୁ ଗୁରୁତ୍ୱର ସହ ବିଚାର କରି ଆବଶ୍ୟକ ସମସ୍ତ ସହାୟତା ଯୋଗାଇବାକୁ ଦାବି ଜୋର ଧରିଛି।ଏହି ଘଟଣା କେବଳ ଗୋଟିଏ ପରିବାରର ଦୁଃଖ କାହାଣୀ ନୁହେଁ, ବରଂ ସମାଜ ପାଇଁ ଏକ ବଡ଼ ପ୍ରଶ୍ନ। ଆଜି ଏହି ତିନି କଅଁଳ ସନ୍ତାନଙ୍କ ମୁହଁରେ ହସ ଫେରାଇବା, ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଓ ମାନବିକତାର ପରିଚୟ ଦେବା ସରକାର, ପ୍ରଶାସନ, ଜନପ୍ରତିନିଧି ଏବଂ ସମାଜର ପ୍ରତ୍ୟେକ ସଚେତନ ନାଗରିକଙ୍କ ନୈତିକ ଦାୟିତ୍ୱ। ସମୟ ଥାଉଥାଉ ଯଦି ସେମାନଙ୍କ ପାଇଁ ସ୍ଥାୟୀ ସହାୟତାର ବ୍ୟବସ୍ଥା କରାନଯାଏ, ତେବେ ଏହି ତିନି କଅଁଳ ଜୀବନର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇପଡ଼ିବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ