ଦେଶୀ ବନ୍ଧୁକ ସହ ଯୁବକ ଗିରଫ: ବନ୍ୟପ୍ରାଣୀ ଶିକାର ପାଇଁ ବନ୍ଧୁକ ବ୍ୟବହାର
ଆସିକା, ୩୧/୦୭ ( ଜେ. କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଆସ୍କା ଥାନା ପୋଲିସ ସକାଳ ପାଟ୍ରୋଲିଂ ସମୟରେ ବଡ଼ ସଫଳତା ପାଇଛି । ଗୁଣ୍ଠପଡା ଗ୍ରାମରୁ ଜଣେ ଯୁବକଙ୍କୁ ଦେଶୀ ନିର୍ମିତ ବନ୍ଧୁକ ସହ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ବନ୍ୟପ୍ରାଣୀ ଶିକାର ପାଇଁ ଏହି ଅସ୍ତ୍ର ବ୍ୟବହାର କରୁଥିବା ସୂଚନା ମିଳିଛି । ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଗୁରୁବାର ସକାଳ ୬ ଘଣ୍ଟିକାରେ ଆସିକାଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ପଞ୍ଚାନନ ପ୍ରଧାନ, ଶ୍ରୀନିବାସ ଗୌଡ଼, ବରୁଣ କୁମାର ବେହେରା ଏବଂ ମନୋଜ କୁମାର ଗୌଡ଼ ସକାଳ ପାଟ୍ରୋଲିଂ ଡ୍ୟୁଟିରେ ଥିଲେ । ସକାଳ ୮ଘଣ୍ଟିକା ୩୦ ମିନିଟ ସମୟରେ ପାଟ୍ରୋଲିଂ ସମୟରେ ପୋଲିସ ଦଳ ଗୁଣ୍ଠପଡା ଗ୍ରାମରେ ପହଞ୍ଚିବା ପରେ ସୂଚନା ପାଇଥିଲେ ଯେ ଗ୍ରାମର ରୁଦ୍ର ବିଶ୍ୱାଳ (୨୪), ପିତା ଆନ୍ଦ ବିଶ୍ୱାଳ ନିଜ ଘରେ ବନ୍ୟପ୍ରାଣୀ ଶିକାର ପାଇଁ ଗୋଟିଏ ଦେଶୀ ବନ୍ଧୁକ ରଖିଛନ୍ତି । ତୁରନ୍ତ ପୋଲିସ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ଦେଶୀ ବନ୍ଧୁକ ଜବତ କରିଥିଲା । ସନ୍ଧାନ ଏବଂ ଜବତ ସମୟରେ ସ୍ଥାନୀୟ ସାକ୍ଷୀଙ୍କୁ ଡାକିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କେହି ଉପଲବ୍ଧ ହୋଇନଥିଲେ । ପରେ ଅଭିଯୋଗକାରୀ ପଞ୍ଚାନନ ପ୍ରଧାନ ସକାଳ ୧୦ଘଣ୍ଟିକା ୩୫ ମିନଟରେ ଥାନାକୁ ଫେରି ଲିଖିତ ରିପୋର୍ଟ ଦେଇଥିଲେ । ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଧାରା ୧୮୦ ବିଏନଏସଏସ ଅନୁଯାୟୀ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଛନ୍ତି । ଏନେଇ ଆସ୍କା ଥାନାରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।