Hot Posts

6/recent/ticker-posts

ଜିଲ୍ଲାସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

ଭବାନୀପାଟଣା, ୨୮/୦୭ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲାସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ପାଳନ ଉପଲକ୍ଷେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସ୍ଥିତ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଉତ୍ସବ ମହାସମାରୋହରେ ଉତ୍ସାହର ସହିତ ପାଳନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ସରକାରୀ/ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କର ପୂର୍ଣ୍ଣ ସହଯୋଗ ଜିଲ୍ଲାପାଳ କାମନା କରିଥିଲେ । ଏଥିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦିନେଶ କୁମାର କହଁର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାସ୍ତରୀୟ ଉତ୍ସବ ପାଳନ ନିମନ୍ତେ ଆଲୋଚନା କରାଯାଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ତା. ୧୪.୦୮.୨୦୨୬ ମଧ୍ୟ ରାତ୍ରିରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ମଶାଲ ଶୋଭାଯାତ୍ରା, ତା. ୧୫.୦୮.୨୦୨୬ ପ୍ରାତଃ ୪:୩୦ ସମୟରେ ସହରରେ ରାମଧୁନ ପରିବେଷଣ, ସକାଳ ୭:୩୦ ସମୟରେ ସମସ୍ତ ସରକାରୀ/ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ, ସହର ସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା ମାଲ୍ୟାର୍ପଣ, ସ୍ଥାନୀୟ ଲାଲ୍ ବାହାଦୁର ଷ୍ଟାଡିୟମ ଠାରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ଵାରା ୯:୧୫ ସମୟରେ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ, ଜିଲ୍ଲାସ୍ତରୀୟ ପ୍ୟାରେଡ ଉତ୍ସବ, ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା, ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗୀତା, ବିଭିନ୍ନ ସ୍ଵଚ୍ଛାସେବି ଅନୁଷ୍ଠାନର ସହଯୋଗରେ ଜିଲ୍ଲା ଚିକିତ୍ସାଳୟ, ଜିଲ୍ଲା କାରାଗାର, ରେଡକ୍ରସ ଦିବ୍ୟାଙ୍ଗ ବିଦ୍ୟାଳୟ, ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ଫଳ ଓ ମିଷ୍ଠାନ୍ନ ବଣ୍ଟନ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ରକ୍ତଦାନ ଶିବିର, ବୃକ୍ଷରୋପଣ ଇତ୍ୟାଦି କାର୍ଯ୍ୟକ୍ରମ ଓ ସନ୍ଧ୍ୟାରେ ସ୍ଥାନୀୟ ଟାଉନ ହଲଠାରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୌମ୍ୟରଞ୍ଜନ ପ୍ରଧାନ, ଉପ-ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ପଞ୍ଚାୟତ ଅଧିକାରୀ ବି.ଏନ. ରାଉତ, ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢୀ, ପୋଲିସ ଆର.ଆଇ., ଆସିଷ୍ଟାନ୍ତ କମାଣ୍ଡଡେଣ୍ଟ ସି.ଆର.ପି.ଏଫ୍ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷାନୁଷ୍ଠାନ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବରିଷ୍ଠ ନାଗରିକ, ଶିକ୍ଷାବିଦ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କହଁର ବୈଠକର କାର୍ଯ୍ୟସୂଚୀ ପଠନ କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।