ଶସ୍ୟ ବୀମା ପଞ୍ଜୀକରଣ ସମସ୍ୟାକୁ ନେଇ ଗୋଲାମୁଣ୍ଡା ଚାଷୀଙ୍କ ଅସନ୍ତୋଷ
ଗୋଲାମୁଣ୍ଡା, ୧୫/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଖରିଫ ଚାଷ ପାଇଁ ଜମି ପ୍ରସ୍ତୁତିରେ ବ୍ୟସ୍ତ ଚାଷୀ। ହେଲେ ଶସ୍ୟ ବୀମା ପଞ୍ଜୀକରଣକୁ ନେଇ ଏବେ ବଢ଼ିଛି ସେମାନଙ୍କ ଚିନ୍ତା। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଙ୍ଗଲଜମି ଓ ରଇତାନି ପଟ୍ଟାଧାରୀ ଚାଷୀମାନେ ଅନଲାଇନ୍ ପଞ୍ଜୀକରଣରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମସ୍ୟାର ସମାଧାନ ସହ ଅଫଲାଇନ୍ ମାଧ୍ୟମରେ ପଞ୍ଜୀକରଣ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଖରିଫ ଋତୁର ଶସ୍ୟ ବୀମା ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବା ବେଳେ, ଗୋଲାମୁଣ୍ଡା ବ୍ଲକର ଅନେକ ଯୋଗ୍ୟ ଚାଷୀ ପଞ୍ଜୀକରଣ କରିପାରୁ ନଥିବା ଅଭିଯୋଗ ହୋଇଛି। ବିଶେଷକରି ଜଙ୍ଗଲଜମି ପଟ୍ଟା ଓ ରଇତାନି ପଟ୍ଟାଧାରୀ ଚାଷୀଙ୍କ ଜମି ସମ୍ପର୍କିତ ତଥ୍ୟ ଅନଲାଇନ୍ ଭୂଲେଖରେ ନ ଦେଖାଯିବାରୁ ପଞ୍ଜୀକରଣ ବାଧାପ୍ରାପ୍ତ ହେଉଛି। ଫଳରେ ଅନେକ ଚାଷୀ ବୀମା ସୁବିଧାରୁ ବଞ୍ଚିତ ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଅନଲାଇନ୍ ସିଷ୍ଟମରେ ବୈଷୟିକ ତ୍ରୁଟି ଓ ଜଟିଳତା ଯୋଗୁଁ ସେମାନଙ୍କ ଆବେଦନ ଗ୍ରହଣ କରାଯାଉ ନାହିଁ। ବାରମ୍ବାର ଚେଷ୍ଟା ସତ୍ତ୍ୱେ ପଞ୍ଜୀକରଣ ସଫଳ ହେଉନଥିବାରୁ ସେମାନେ ହତାଶ ହୋଇପଡ଼ିଛନ୍ତି। ଏହି ପରିସ୍ଥିତିରେ ଅନଲାଇନ୍ ସହ ଅଫଲାଇନ୍ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ ସୁବିଧା ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଚାଷୀଙ୍କ କହିବା ଅନୁଯାୟୀ, ଶସ୍ୟ ବୀମା କାର୍ଯ୍ୟରେ ନିୟୋଜିତ କମ୍ପାନୀ ପକ୍ଷରୁ ଭୂଲେଖରେ ତଥ୍ୟ ନ ଥିବା ଦର୍ଶାଇ ପଞ୍ଜୀକରଣ ପ୍ରତ୍ୟାଖ୍ୟାନ କରାଯାଉଛି। ଏଥିପାଇଁ ସେମାନେ ନାନା ପ୍ରକାର ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ଓ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଶସ୍ୟ ବୀମାରେ ସାମିଲ କରିବା ଦାବିରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏବେ ଚାଷୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।