Hot Posts

6/recent/ticker-posts

ଜୟପାଟଣା ସିଡିପିଓ ଅଫିସରେ ନିଯୁକ୍ତି ଦୁର୍ନୀତି ଅଭିଯୋଗ

ଜୟପାଟଣା, ୧୫/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ସିଡିପିଓ ଅଫିସକୁ ନେଇ ଏବେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପ୍ରକ୍ରିୟାରେ ମେଧା ତାଲିକାକୁ ଅଣଦେଖା କରି ପକ୍ଷପାତ କରାଯାଇଥିବା ଅଭିଯୋଗ ହୋଇଛି। ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ବାଦ ଦେଇ କମ୍ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ଉଠିଛି। ଘଟଣାଟି ହେଉଛି ଜୟପାଟଣା ବ୍ଲକ ସର୍ଗିଗୁଡ଼ା ଗ୍ରାମର। କିଛି ମାସ ପୂର୍ବରୁ ଏହି ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ କର୍ମୀ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିୟମ ଅନୁଯାୟୀ ଆବେଦନ ଗ୍ରହଣ କରାଯାଇଥିଲା। ମେଧା ତାଲିକାରେ ଜ୍ୟୋସ୍ନା ପ୍ରିୟ ନିଆଲ ୬୦ ପ୍ରତିଶତ ମାର୍କ ସହ ପ୍ରଥମ ସ୍ଥାନରେ ଥିବା ବେଳେ ମମତା ମାଝୀ ୪୯ ପ୍ରତିଶତ ମାର୍କ ସହ ଦ୍ୱିତୀୟ ସ୍ଥାନରେ ଥିଲେ। ଅଭିଯୋଗ ଅନୁସାରେ, ଜୟପାଟଣା ସିଡିପିଓ ରତ୍ନାକର ବେହେରା ପ୍ରଥମେ ଜ୍ୟୋସ୍ନା ପ୍ରିୟ ନିଆଲଙ୍କୁ ଯୋଗ୍ୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନଥାଇ ତାଙ୍କୁ ବାଦ ଦେଇ ଦ୍ୱିତୀୟ ସ୍ଥାନରେ ଥିବା ମମତା ମାଝୀଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଜ୍ୟୋସ୍ନା ପ୍ରିୟ ନିଆଲ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ମେଧା ତାଲିକାରେ ପ୍ରଥମ ସ୍ଥାନରେ ଥାଇ ମଧ୍ୟ ନିଯୁକ୍ତିରୁ ବଞ୍ଚିତ କରାଯାଇଥିବାରୁ ସେ ସିଡିପିଓଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ସହ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଏହି ନିଯୁକ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ସିଡିପିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତାଙ୍କ ପ୍ରତିକ୍ରିୟା ମିଳିଲେ ତାହାକୁ ମଧ୍ୟ ପ୍ରସାରଣ କରାଯିବ।