ସରଣକୁଳରେ ଭକ୍ତିମୟ ପରିବେଶରେ ଘୋଷଯାତ୍ରା: ମାଉସୀ ମନ୍ଦିରକୁ ବିଜେ କଲେ ଶ୍ରୀଜିଉ
ନୟାଗଡ, ୧୬/୦୭ (ସୁଧୀର କୁମାର ଦାସ) : ନୟାଗଡ ଜିଲ୍ଲାର ସରଣକୁଳ ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ପବିତ୍ର ଘୋଷଯାତ୍ରା ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସୁସଜ୍ଜିତ ରଥରେ ଆରୂଢ଼ ହୋଇ ମାଉସୀ ମାଆଙ୍କ ମନ୍ଦିର ଅଭିମୁଖେ ବିଜେ କରିଥିଲେ। ଏହି ଅବସରରେ ରଥଦର୍ଶନ ଓ ରଥଟଣା ପାଇଁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା। ସୂଚନା ଅନୁଯାୟୀ, ମଙ୍ଗଳବାର ଶ୍ରୀଜିଉଙ୍କ ନେତ୍ରୋତ୍ସବ ନୀତି ସମ୍ପନ୍ନ ହେବା ପରେ ତିନୋଟି ରଥରେ ଦୁଜା ବନ୍ଧା ଯାଇଥିଲା। ବୁଧବାର ବିଶ୍ରାମ ଦିବସ ହୋଇଥିବାରୁ ମନ୍ଦିରରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା। ଭକ୍ତମାନଙ୍କ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ରଥଗୁଡ଼ିକ ଅଗ୍ରସର ହୋଇ ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟରେ ମାଉସୀ ମାଆଙ୍କ ମନ୍ଦିରରେ ପହଞ୍ଚିଥିଲେ। ଘୋଷଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି।