Hot Posts

6/recent/ticker-posts

ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌)-୨୦୨୬: ନୂଆପଡ଼ା ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶିତ ୫ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ

ନୂଆପଡ଼ା, ୦୫/୦୭ ( ପରମେଶ୍ୱର ମେହେର ) : ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା, ନିର୍ଭୁଲତା ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌)-୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀର ଚିଠା ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇଛି। ଏହି ବୈଠକରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବାବେଳେ ୩୦ ମେ’ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନଙ୍କ ଦ୍ୱାରା ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ ଓ ତଥ୍ୟ ସଂଗ୍ରହ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସଂଗୃହୀତ ତଥ୍ୟର ଡିଜିଟାଇଜେସନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ଚିଠା ଭୋଟର ତାଲିକା ଅନୁଯାୟୀ, ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପୂର୍ବରୁ ମୋଟ ୫,୦୫,୨୭୬ ଜଣ ମତଦାତା ଥିବାବେଳେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ୧୬,୮୨୯ ଜଣଙ୍କ ନାମ ବିଲୋପ କରାଯାଇଛି। ଫଳରେ ଚିଠା ଭୋଟର ତାଲିକାରେ ମୋଟ ୪,୮୮,୪୪୭ ଜଣ ମତଦାତାଙ୍କୁ ସାମିଲ କରାଯାଇଛି। ସଂଶୋଧନ ପ୍ରକ୍ରିୟାରେ ୭,୦୨୧ ଜଣ ମୃତ ମତଦାତା, ୬,୯୮୪ ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତା, ୧,୮୦୦ ଜଣ ଅନୁପସ୍ଥିତ ମତଦାତା, ୯୩୮ ଜଣ ଡୁପ୍ଲିକେଟ୍ ବା ପ୍ରତିରୂପ ନାମ ଥିବା ମତଦାତା ଏବଂ ୮୬ଟି ଅନ୍ୟାନ୍ୟ ମାମଲା ଚିହ୍ନଟ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ଦାଶ ସୂଚନା ଦେଇଥିଲେ। ଚିଠା ଭୋଟର ତାଲିକା ପ୍ରକାଶ ପରେ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏହି ସମୟ ମଧ୍ୟରେ ଯେଉଁମାନଙ୍କ ନାମ ବାଦ ପଡ଼ିଛି କିମ୍ବା ନୂତନ ଭାବେ ଭୋଟର ତାଲିକାରେ ସାମିଲ ହେବା, ତଥ୍ୟ ସଂଶୋଧନ, ନାମ ବିଲୋପ କିମ୍ବା ସ୍ଥାନାନ୍ତରଣ ସମ୍ବନ୍ଧୀୟ ଆବେଦନ ଦାଖଲ କରିବାକୁ ଚାହୁଁଛନ୍ତି, ସେମାନେ ସମ୍ପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀ କିମ୍ବା ନିର୍ବାଚନ କାର୍ଯ୍ୟାଳୟରେ ଦାବି ଓ ଆପତ୍ତି ଦାଖଲ କରିପାରିବେ। ପ୍ରାପ୍ତ ଦାବି ଓ ଆପତ୍ତିର ଫଇସଲା ପରେ ଆସନ୍ତା ୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, ସ୍ୱତନ୍ତ୍ର ସଘନ ସଂଶୋଧନର ମୂଳ ଉଦ୍ଦେଶ୍ୟ ହେଉଛି ଭୋଟ୍ ଦେବା ପାଇଁ ଯୋଗ୍ୟ ହୋଇ ମଧ୍ୟ ଭୋଟର ତାଲିକାରେ ସାମିଲ ହୋଇପାରି ନ ଥିବା ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବା, ନୂତନ ମତଦାତାଙ୍କ ପଞ୍ଜୀକରଣ, ମୃତ, ଅଯୋଗ୍ୟ ଓ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାଙ୍କ ନାମ ବିଲୋପ କରିବା ସହିତ ଏକ ସ୍ୱଚ୍ଛ, ନିର୍ଭୁଲ, ଅଦ୍ୟତନ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରିବା। ସେ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଆବଶ୍ୟକ ସ୍ଥଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବା ସହ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ-ଜିଲ୍ଲାପାଳ ସୂର୍ମି ସୋରେନ, ଡେପୁଟି ଜ଼ିଲ୍ଲାପାଳ (ନିର୍ବାଚନ) ଶେଖ୍ ନସିମ ପ୍ରମୁଖ ଉପସ୍ଥିତ ଥିଲେ।