ନରସିଂହପୁରରେ କାର୍–ଅଟୋ ମୁହାଁମୁହିଁ ଧକ୍କା: ଜଣେ ମହିଳାଙ୍କ ମୃତ୍ୟୁ, ୩ ଜଣ ଗୁରୁତର
ନରସିଂହପୁର, ୦୫/୦୭ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳର ପଞ୍ଚମୁଖୀ ଛକ ନିକଟରେ ଏକ କାର୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ନୟାଗଡ଼ ଜିଲ୍ଲାର ଘଣାଶାଳିଆ ଗ୍ରାମର ଅହଲ୍ୟା ମହାରଣା। ଦୁର୍ଘଟଣା ପରେ ସେ ଗୁରୁତର ଆହତ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ମୃତକଙ୍କ ଝିଅ ସୁମିତ୍ରା ମହାରଣା (୪୦), ଜ୍ୱାଇଁ ଅଲେଖ ମହାରଣା, ଯେଉଁମାନେ ନରସିଂହପୁର ବ୍ଲକ ରଣସିଂହପୁର ପୁରୁଣା ସାହିର ବାସିନ୍ଦା, ଗୁରୁତର ଆହତ ହୋଇଛନ୍ତି। ସେହିପରି ଘଣ୍ଟପଡ଼ା ଗ୍ରାମର ଅଟୋ ଚାଳକ ଉପେନ୍ଦ୍ର ସାହୁ (୫୪) ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ପଞ୍ଚମୁଖୀ ଛକ ଅଞ୍ଚଳରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା। ପୋଲିସ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ସହ ଆଇନଗତ ପଦକ୍ଷେପ ଗ୍ରହଣ କରୁଛି।