ମହିଳା ସୁନା ବ୍ୟବସାୟୀଙ୍କୁ ଆକ୍ରମଣ, ୩୬ ଲକ୍ଷ ଟଙ୍କା ଲୁଟ୍
କଟକ, ୧୩/୦୭ ( କାହୁଁ ଚରଣ ବାରିକ ) : ମହିଳା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ନଗଦ ଲୁଟିନେଲେ ୬ ଲୁଟେରା । ରବିବାର ରାତି ପ୍ରାୟ ୧୦ ରୁ ୧୦.୩୦ ମଧ୍ୟରେ ପିଙ୍କି ସାହା ନାମକ ଜଣେ ମହିଳା ଓ ଏମ୍ ପି ଛକ ସ୍ଥିତ କଲିକତା ବସ୍ ଷ୍ଟପ୍ କୁ ନିଜର କର୍ମଚାରୀ ଙ୍କ ସହ ସ୍କୁଟି ରେ ଯିବା ସମୟରେ ଜାତୀୟ ରାଜପଥ ୧୬ ତାଳଦଣ୍ଡା କେନାଲ ବ୍ରିଜ୍ ଉପରେ ୬ ଜଣ ଲୁଟେରା ହଟାତ୍ ଗାଡ଼ି ଅଟକାଇବା ସହ ଅତର୍କିତ ଆକ୍ରମଣ କରିଥିଲେ। ପିଙ୍କି ପ୍ରତିବାଦ କରିବାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଲୁହା ରଡ ରେ ଆକ୍ରମଣ କରି ଟଙ୍କା ବୋଝେଇ ବ୍ୟାଗ୍ ଧରି ବାଇକ୍ ଯୋଗେ ଫେରାର ହୋଇ ଯାଇଥିଲେ ସମସ୍ତ ଦୁର୍ବୁତ୍ତ। ଆହତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ପିଙ୍କି ଙ୍କୁ ପୋଲିସ ଉଦ୍ଧାର କରି ଏସ ସି ବି ମେଡିକାଲ କୁ ଚିକିତ୍ସା ପାଇଁ ପଠାଇଥିଲା। ପିଙ୍କି ସାହା ଜଣେ ସୁନା ବ୍ୟବସାୟୀ ହୋଇଥିବା ବେଳେ କଲିକତା ସୁନା ଅଳଙ୍କାର କିଣିବା ପାଇଁ ବସ୍ ଯୋଗେ ଓ ଏମ୍ ପି ରୁ ୧୦.୩୦ ରେ ବାହାରିବାର ଥିଲା। ଏହାର କିଛି ମିନିଟ୍ ପୂର୍ବରୁ ରାଜରାସ୍ତାରେ ଲୁଟ କରି ଚମ୍ପଟ୍ ମାରିଲେ ଲୁଟେରା। ଏନେଇ ପିଙ୍କି ଙ୍କ ସମ୍ପର୍କୀୟ ମାନେ ମଧୁପାଟଣା ଥାନା ରେ ପହଞ୍ଚି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଟିମ୍ ମେଡ଼ିକାଲ ରେ ପହଞ୍ଚି ପିଙ୍କିଙ୍କ ବୟାନ ରେକର୍ଡ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି।