ଆମ୍ବୁଲାନ୍ସ ବଦଳରେ ମାଲବୁହା ଗାଡ଼ିରେ ରୋଗୀ ପରିବହନ
ଧର୍ମଗଡ଼, ୧୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବାର ଅବ୍ୟବସ୍ଥା ପୁଣିଥରେ ପଦାକୁ ଆସିଛି। ଆମ୍ବୁଲାନ୍ସ ନମିଳିବାରୁ ଜଣେ ଅସୁସ୍ଥ ରୋଗୀଙ୍କୁ ମାଲବୁହା ଗାଡ଼ିରେ ଖଟିଆ ରଖି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବିକ୍ରମଗୁଡ଼ା ଗାଁର ତୁଲାରାମ ମାଝୀ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସେବା ଉପଲବ୍ଧ ନହେବାରୁ ବାଧ୍ୟ ହୋଇ ଏକ ମାଲବୁହା ଗାଡ଼ିରେ ଖଟିଆ ରଖି ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅସୁସ୍ଥ ରୋଗୀଙ୍କୁ ଏଭଳି ପରିସ୍ଥିତିରେ ପରିବହନ କରାଯାଉଥିବା ଚିତ୍ର ସ୍ୱାସ୍ଥ୍ୟ ସେବାର ବାସ୍ତବ ସ୍ଥିତିକୁ ସାମ୍ନାକୁ ଆଣିଛି।ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମଧ୍ୟ କଳାହାଣ୍ଡିରେ ଜଣେ ଗୁରୁତର ରୋଗୀଙ୍କୁ ନେଇଯାଉଥିବା ୧୦୮ ଆମ୍ବୁଲାନ୍ସ ରାସ୍ତାରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା, ଯାହାକୁ ନେଇ ତୀବ୍ର ସମାଲୋଚନା ହୋଇଥିଲା। ଏବେ ପୁଣି ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାର ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଓ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ