ତେନ୍ତୁଳୀଖୁଣ୍ଟି, ୨୧/୦୭ (ଶେଖର ଖୁରା) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତର ସିରାଗୁଡା ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟରତ ଥିବା ଶ୍ରୀମତୀ ସରୋଜିନୀ ଖୁରାଙ୍କ ପରଲୋକ ଘଟିଛି। ତାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସରୋଜିନୀ ଖୁରା ଜଣେ ସରଳ, ମିଷ୍ଟଭାଷୀ ଓ କର୍ତ୍ତବ୍ୟନିଷ୍ଠ ଅଙ୍ଗନବାଡ଼ି କର୍ମୀ ଭାବେ ପରିଚିତ ଥିଲେ। ସେ ଆରମ୍ଭରୁ ନିଜ କାର୍ଯ୍ୟକୁ ନିଷ୍ଠା ଓ ଦାୟିତ୍ୱବୋଧର ସହିତ ପାଳନ କରୁଥିଲେ। କିଛିଦିନ ଧରି ଅସୁସ୍ଥ ହୋଇପଡ଼ିବାରୁ ବିଶାଖାପାଟଣାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ଆଜି ତାଙ୍କର ପାର୍ଥିବ ଶରୀରକୁ ସ୍ୱାମୀଙ୍କ ଗ୍ରାମ ତୁରଜିଠାରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ସମାଧି ଦିଆଯାଇଥିଲା। ଶେଷ ଦର୍ଶନ ପାଇଁ ବହୁ ଅଙ୍ଗନବାଡ଼ି କର୍ମୀ, ବନ୍ଧୁବାନ୍ଧବ, ସମ୍ପର୍କୀୟ ଏବଂ ଅଞ୍ଚଳବାସୀ ଉପସ୍ଥିତ ରହି ଭାବବିହ୍ୱଳ ପରିବେଶରେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ସ୍ୱର୍ଗତା ସରୋଜିନୀ ଖୁରାଙ୍କ ପରିବାରରେ ସ୍ୱାମୀ, ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ତାଙ୍କ ବିୟୋଗରେ ପରିବାର ସହ ସମଗ୍ର ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l
