Hot Posts

6/recent/ticker-posts

ଇଚ୍ଛାଶକ୍ତିର ଅଭାବ ଓ ସରକାରୀ ଅବହେଳା: ଲୋପ ପାଉଛି ଆଦିବାସୀଙ୍କ ପାରମ୍ପରିକ 'ଡୁଙ୍ଗଡୁଙ୍ଗା' ବାଦ୍ୟ

ଜୟପୁର, ୨୧/୦୭ ( ଗୁପ୍ତ ପ୍ରସାଦ ପତ୍ରିକା ) : ଆଧୁନିକତାର ଚକାଚକ୍ୟ ଏବଂ ଡିଜେ ସଂସ୍କୃତିର ବ୍ୟାପକ ପ୍ରସାର ମଧ୍ୟରେ ଆଜି ହଜିବାକୁ ବସିଛି ଆଦିବାସୀ ସମ୍ପ୍ରଦାୟର ଅନନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ର 'ଡୁଙ୍ଗଡୁଙ୍ଗା'। ଗୋଟିଏ ସମୟରେ କୋରାପୁଟ ଜିଲ୍ଲାର ପ୍ରତ୍ୟେକ ଆଦିବାସୀ ପଲ୍ଲୀରେ, ବିଶେଷ କରି ପରଜା ସମ୍ପ୍ରଦାୟର ପର୍ବପର୍ବାଣି, ପୁଷପୁନି, ଚୈତ୍ର ପରବ ଓ ବିବାହ ଉତ୍ସବରେ ଏହି ବାଦ୍ୟର ମଧୁର ସୁର ପ୍ରତିଧ୍ୱନିତ ହେଉଥିଲା। ମାତ୍ର ଆଜି ସରକାରୀ ପ୍ରୋତ୍ସାହନର ଅଭାବ ଏବଂ ଉଚିତ୍ ଇଚ୍ଛାଶକ୍ତିର କ୍ଷୟ ଯୋଗୁଁ ଏହି ପ୍ରାଚୀନ କଳା ସଂପୂର୍ଣ୍ଣ ଭାବେ ଲୋପ ପାଇବାକୁ ବସିଛି। ଜୟପୁର ବ୍ଲକ ଅଧୀନସ୍ଥ ଦାମାପୁଟ, ପଞ୍ଜୀ ପରି କେତେକ ଗ୍ରାମରେ ଏବେ ବି କେତେଜଣ ବୟସ୍କ କଳାକାର, ଯେପରିକି ଗୁରୁ ପରଜା, ଏହି କଳାକୁ ଜୀବନ୍ତ ରଖିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଉମ୍ର ବୟସ ୭୦ ବର୍ଷ ପାର ହୋଇଥିଲେ ସୁଦ୍ଧା, ସେମାନଙ୍କର ଏହି ବାଦ୍ୟ ପ୍ରତି ରହିଥିବା ଆନ୍ତରିକ ଭଲପାଇବା ସେମାନଙ୍କୁ ବାଦ୍ୟ ବଜାଇବାକୁ ବାଧ୍ୟ କରୁଛି। ମାତ୍ର ସବୁଠାରୁ ଦୁଃଖର ବିଷୟ ହେଉଛି, ନୂତନ ପିଢ଼ିର ଯୁବକମାନେ ଆଉ ଏହି ପାରମ୍ପରିକ ବାଦ୍ୟ ପ୍ରତି ଆକୃଷ୍ଟ ହେଉନାହାନ୍ତି। ଅନ୍ୟପଟେ, ବାଦ୍ୟ ବଜାଇ ଜୀବିକା ନିର୍ବାହ କରିବା ଆଉ ସମ୍ଭବ ହେଉନଥିବାରୁ ପାରମ୍ପରିକ ଶିଳ୍ପୀମାନେ ନିଜର ବୃତ୍ତି ବଦଳାଇବାକୁ ବାଧ୍ୟ ହେଉଛନ୍ତି। ​ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ସରକାରୀ ଅବହେଳା। ନିଷ୍ଠାର ସହ ଏହି ସଂସ୍କୃତିକୁ ବଞ୍ଚାଇ ରଖିଥିବା ଏହି ବୃଦ୍ଧ କଳାକାରମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି କଳାକାର ଭତ୍ତା କିମ୍ବା ଆର୍ଥିକ ସହାୟତା ମିଳିପାରି ନାହିଁ। ବୟସର ସାୟାହ୍ନରେ ପହଞ୍ଚିଥିବା ଏହି ଶିଳ୍ପୀମାନେ ସରକାରୀ ସାହାଯ୍ୟ ଅପେକ୍ଷାରେ ଦିନ କାଟୁଛନ୍ତି। ଯଦି ଶୀଘ୍ର ସଂସ୍କୃତି ବିଭାଗ ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦିଅନ୍ତି ଏବଂ ଏହି ଗୁରୁମାନଙ୍କୁ ସରକାରୀ ସହାୟତା ଓ କଳାକାର ଭତ୍ତା ପ୍ରଦାନ ନକରନ୍ତି, ତେବେ ଏହି ବୟସ୍କ କଳାକାରଙ୍କ ପରେ ଆଦିବାସୀ ସଂସ୍କୃତିର ଏହି ଅନନ୍ୟ ପରିଚୟ 'ଡୁଙ୍ଗଡୁଙ୍ଗା' ବାଦ୍ୟ ସଦା ଦିନ ପାଇଁ ଇତିହାସର ପୃଷ୍ଠାରେ ସୀମିତ ହୋଇରହିଯିବ। ତେଣୁ ଏହି ଲୁପ୍ତପ୍ରାୟ କଳାର ସଂରକ୍ଷଣ ପାଇଁ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ।