Hot Posts

6/recent/ticker-posts

ଗୁଣ୍ଡିଚା ରଥଯାତ୍ରା ଅବସରରେ ସିନାପାଲିରେ ସ୍ୱଚ୍ଛତା ଅଭିଯାନ, ସଂକଳ୍ପ ସେବା ସଂଘର ଅଭିନବ ପଦକ୍ଷେପ

ସିନାପାଲି, ୧୫/୦୭ ( ପରମେଶ୍ୱର ମେହେର ) : ଗୁଣ୍ଡିଚା ରଥଯାତ୍ରା କେବଳ ଭକ୍ତି ଓ ଆଧ୍ୟାତ୍ମିକତାର ପର୍ବ ନୁହେଁ, ବରଂ ସମାଜ ପ୍ରତି ଦାୟିତ୍ୱବୋଧର ଏକ ଜୀବନ୍ତ ବାର୍ତ୍ତା । ଏହି ମହାନ ଭାବନାକୁ ସାକାର କରି ସଂକଳ୍ପ ସେବା ସଂଘ, ସିନାପାଲି ପକ୍ଷରୁ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଏକ ବ୍ୟାପକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ହାତରେ ଝାଡ଼ୁ, ମନରେ ସେବାର ସଂକଳ୍ପ ଓ ହୃଦୟରେ ସାମାଜିକ ଦାୟିତ୍ୱର ଭାବନା ନେଇ ସେବକମାନେ ଶ୍ରମଦାନ କରି ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ଅବସରରେ ଭକ୍ତମାନଙ୍କ ସୁବିଧା ଓ ପରିବେଶର ପରିଚ୍ଛନ୍ନତାକୁ ଦୃଷ୍ଟିରେ ରଖି ଜଗନ୍ନାଥ ଛକ, ତ୍ରିବେଣୀ ଛକ, ରାବଣ ଛକ, ଗାୟତ୍ରୀ ଛକ, ଦୁର୍ଗା ମନ୍ଦିର ରାସ୍ତା, ତ୍ରିନାଥ ଛକ, ତହସିଲ ଅଫିସ ରାସ୍ତା, ଗୁଡ଼ିଆ ଛକ, ବସଷ୍ଟାଣ୍ଡ ଏବଂ ମାଉସୀ ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟ କରାଯାଇଥିଲା । ରାସ୍ତାଘାଟରେ ପଡ଼ିଥିବା ଆବର୍ଜନା ସଂଗ୍ରହ କରାଯିବା ସହ ସାଧାରଣ ଲୋକଙ୍କୁ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଚେତନ କରାଯାଇଥିଲା ।ଏହି ଅବସରରେ ସଂଘର ସଦସ୍ୟମାନେ କହିଥିଲେ, “ସ୍ୱଚ୍ଛତା କେବଳ ସରକାରର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ସଚେତନ ନାଗରିକଙ୍କ କର୍ତ୍ତବ୍ୟ । ଆମେ ଯଦି ନିଜ ପରିବେଶକୁ ସଫା ରଖିବାକୁ ସଂକଳ୍ପ ନେବା, ତେବେ ସୁସ୍ଥ ଓ ସୁନ୍ଦର ସମାଜ ଗଢ଼ିବା ସମ୍ଭବ । ସେମାନଙ୍କ ଏହି ସେବାଭାବ ସମାଜରେ ଏକ ସକାରାତ୍ମକ ଚେତନା ସୃଷ୍ଟି କରିଛି ।ସ୍ୱଚ୍ଛତା ଅଭିଯାନରେ ନରେନ୍ଦ୍ର ନାଏକ, ଦିନେଶ କୁମାର ମେହେର, ବିଦ୍ୟାଧର ସା (ଶୈଳେଶ), ଚିତ୍ତରଞ୍ଜନ ମେହେର (ଜଗା), ଲିଲାକର ସା (ମଣ୍ଟୁ), ଗଣେଶ ରାମ ମେହେର, ସାନୁର୍ଯ୍ୟ ମେହେର, ବୁଦ୍ଧଦେବ ମେହେର (ରାଜୁ), ସୁରଜ କୁମାର ମେହେର, ଯୁଧିଷ୍ଠିର ମେହେର (କାହ୍ନୁ), ନରେଶ କୁମାର ମାଝୀ, ମହେନ୍ଦ୍ର ମେହେର (ସଂଗ୍ରାମ), ସୋହନ ମେହେର, କୁଞ୍ଜବିହାରୀ ବାରିକ (ମଣ୍ଟୁ), ଲିଙ୍ଗରାଜ ଜଗତ (ମନୋଜ) ଓ ଗିରିଶ ମାଝୀ ନିଜର ମୂଲ୍ୟବାନ ସମୟ ଦେଇ ଶ୍ରମଦାନ କରିଥିଲେ ।ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ସଂକଳ୍ପ ସେବା ସଂଘର ଏହି ଅଭିନବ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିବାବେଳେ, ଏଭଳି ସାମାଜିକ ସେବାମୂଳକ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ସେବା, ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଛି ।ଭକ୍ତିର ସର୍ବୋତ୍ତମ ରୂପ ହେଉଛି ସେବା, ଆଉ ସେବାର ସର୍ବୋତ୍ତମ ପରିଚୟ ହେଉଛି ସ୍ୱଚ୍ଛତା, ଏହି ମହାନ ବାର୍ତ୍ତାକୁ ନେଇ ସଂକଳ୍ପ ସେବା ସଂଘର ଏହି ଅଭିଯାନ ସିନାପାଲିବାସୀଙ୍କ ପାଇଁ ଏକ ଅନୁକରଣୀୟ ଦୃଷ୍ଟାନ୍ତ ପାଲଟିଛି ।