ବେତନଟୀ, ୨୬/୦୭ ( ନବଦୂତ ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରରେ ୮ଟି ପୁରସ୍କାର ପାଇ ସମ୍ମାନିତ ହୋଇଛି। ଗ୍ରାମାଞ୍ଚଳରେ ଟୀକାକରଣ, ପୁରୁଷ ଓ ସ୍ତ୍ରୀ ବନ୍ଧ୍ୟାକରଣ ଏବଂ ‘ଅନ୍ତରା’ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ବାରିପଦାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାକ୍ତରଖାନାର ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। ତେବେ ଗୋଟିଏ ପଟେ ଏହି ସଫଳତା ପାଇଁ ପ୍ରଶଂସାର ସ୍ରୋତ ଛୁଟୁଥିବା ବେଳେ ଅନ୍ୟପଟେ ଡାକ୍ତରଖାନାର ଅନ୍ତରୀଣ ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ସେବା ଏବଂ ଅନିୟମିତତାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟସେବାର ବ୍ୟାପକ ପ୍ରଚାର-ପ୍ରସାର ଏବଂ ଯୋଜନାଗୁଡ଼ିକର ସଫଳ ରୂପାୟନ କ୍ଷେତ୍ରରେ ବେତନଟୀ ଡାକ୍ତରଖାନା ଅଗ୍ରଣୀ ସ୍ଥାନ ଅଧିକାର କରିଛି। ବିଶେଷକରି ପୁରୁଷ ବନ୍ଧ୍ୟାକରଣ ଏବଂ ଗର୍ଭବତୀ ମହିଳାଙ୍କ ‘ଅନ୍ତରା’ ଟୀକାକରଣ କ୍ଷେତ୍ରରେ ଏହି ଡାକ୍ତରଖାନା ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ବାରିପଦାଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉତ୍ସବରେ ବେତନଟୀ ଡାକ୍ତରଖାନା ଅଧିକାରୀ ଡ. ସିପୁନ କୁମାର ପଣ୍ଡା, ଡ. ପ୍ରସନ୍ନ କୁମାର ପାତ୍ର, ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ (ପିଏଚଇଓ) ମଞ୍ଜୁଶ୍ରୀ ଦାସ, ବିପିନ ବିହାରୀ ପଣ୍ଡା, ଚନ୍ଦ୍ରମୋହନ ଦାସ ଏବଂ ଝାମ୍ପମଣି ସାମନ୍ତରାୟ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଛି। ଏହି ପୁରସ୍କାର ପ୍ରଦାନ ପରେ ଡାକ୍ତରଖାନାର ବାସ୍ତବ ସ୍ଥିତିକୁ ନେଇ ଏକାଧିକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି ଡାକ୍ତରଖାନାରେ ଉନ୍ନତମାନର ରକ୍ତ,ପରିସ୍ରା ଓ ଝାଡ଼ା ପରୀକ୍ଷା ମେସିନ୍ ଥିବା ସତ୍ତ୍ବେ ରୋଗୀଙ୍କୁ ବାହାରୁ ପରୀକ୍ଷା କରିଆଣିବାକୁ ପଠାଯାଉଥିବା ଅଭିଯୋଗ ହୋଇଛି। ସେହିପରି ଏକ୍ସରେ ମେସିନ୍ ଅଧିକାଂଶ ଦିନ ଖରାପ ରହୁଥିବା ଏବଂ ଭୁଲ୍ ରିପୋର୍ଟ ପ୍ରଦାନ କରାଯାଉଥିବା ରୋଗୀମାନେ ପ୍ରକାଶ କରିଛନ୍ତି। ଉଚ୍ଚ କ୍ଷମତାସମ୍ପନ୍ନ ଜେନେରେଟର ଓ ମାଳ ମାଳ ଇନଭର୍ଟର ଥାଇ ମଧ୍ୟ ସାମାନ୍ୟ ନେବୁଲାଇଜର ଚଲାଇବା ପାଇଁ ଆସ୍ଥମା ଓ ଶ୍ୱାସରୋଗୀଙ୍କୁ ଘଣ୍ଟା ଘଣ୍ଟା ଲାଇନ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଅତି ଆବଶ୍ୟକୀୟ ଓଷଧର ଅଭାବ ସହ ବେଳେ ବେଳେ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ନଦେଇ ସିଧାସଳଖ ବାରିପଦା କିମ୍ବା ବାଲେଶ୍ବର ରେଫର କରାଯାଉଛି। ଏପରିକି ସିରିଞ୍ଜରେ ଆଗୁଆ ଓଷଧ ଲୋଡ୍ କରି ରଖାଯାଉଥିବା ଭଳି ସ୍ବାସ୍ଥ୍ୟଗତ ନିୟମ ଓଲଂଘନର ଅଭିଯୋଗ ମଧ୍ୟ ଉଠିଛି। ଶବ ବ୍ୟବଚ୍ଛେଦ ଗୃହ ୩ ଥର ଉଦ୍ଘାଟିତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ସେବା ସୁରୁଖୁରୁ ରେ ହୋଇପାରୁନାହିଁ। ଏଥିସହିତ ସ୍ଥାୟୀ ସୁଇପର ନଥାଯିବାରୁ ପରିଷ୍କାର ପରିଚ୍ଛନ୍ନତା ପ୍ରଭାବିତ ହେଉଛି। ଅନେକ ସମୟରେ ଅସ୍ଥାୟୀ ସୁଇପର ମାନେ ରୋଗୀଙ୍କୁ ସାଲାଇନ୍ ଦେବା ଓ ଖୋଲୁଥିବାର ମଧ୍ଯ ଦେଖାଯାଉଛି। ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଅଭିଯୋଗ ଅନୁଯାୟୀ, ବଡ଼ସାହି ଡାକ୍ତରଖାନାରୁ ଜଣେ ଡାକ୍ତରଙ୍କୁ ଡେପୁଟେସନରେ ଆଣି ପ୍ରାୟ ୬ ବର୍ଷ ହେବ ବେତନଟୀ ଡାକ୍ତରଖାନାର ଇନ୍ଚାର୍ଜ ଭାବେ ରଖାଯାଇଛି। ସେହିପରି ଏନ୍ଏଚଏମ ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ପ୍ରାୟ ଦୀର୍ଘ ୫, ୬ ବର୍ଷ ଧରି ଗୋଟିଏ ସ୍ଥାନରେ ରହିଛନ୍ତି। ରୋଗୀ କଲ୍ୟାଣ ସମିତି (ଆରକେଏସ) ମିଟିଂ ନାମକୁମାତ୍ର କରାଯାଇ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ହରିଲୁଟ୍ ହେଉଥିବା ବେଳେ, ଏହାର ତଦନ୍ତ ନକରି ପୁରସ୍କୃତ କରାଯିବା ଦ୍ୱାରା ଦୁର୍ନୀତିକୁ ପ୍ରୋତ୍ସାହନ ମିଳୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଗୋଟିଏ ପଟେ ସରକାରୀ କାଗଜପତ୍ର ଓ ଯୋଜନା ରୂପାୟନରେ ବେତନଟୀ ଡାକ୍ତରଖାନା ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଥିବା ବେଳେ, ଅନ୍ୟପଟେ ଦୈନନ୍ଦିନ ମୌଳିକ ଚିକିତ୍ସା ସେବାରେ ବ୍ୟାପକ ତ୍ରୁଟି ଦୃଶ୍ୟମାନ ହେଉଛି। ଏସବୁ ସମସ୍ୟାର ସରଜମିନ୍ ତଦନ୍ତ କରି ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବା ଏବଂ ରୋଗୀଙ୍କୁ ସଠିକ୍ ସେବା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି।
ରିପୋର୍ଟ - ନିରୋଜ କୁମାର ସେଠୀ
