ତାଇୱାନରେ ଚମକିଲା ନୁଆଁଖାଇ ଉପରେ ଆଧାରିତ ବାଲୁକା କଳା
କର୍ଲାମୁଣ୍ଡା, ୧୪/୦୭ (ସୁଶାନ୍ତ ରଣା) : ଗତ ୪ ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ କରି ପଶ୍ଚିମ ଓଡିଶାର ମହାନ ସଂସ୍କୃତିକୁ ନୁଆଁଖାଇ କୁ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି କଳାହାଣ୍ଡି ଜର ଶିଳ୍ପୀ ଓମ ପ୍ରକାଶ ସାହୁ। ଉକ୍ତ ପ୍ରଦର୍ଶନୀ ରେ ଭାରତରୁ ଶ୍ରୀ ସାହୁଙ୍କ ସମେତ ତାଇୱାନ, ଚାଇନା, ଜାପାନ, କାନାଡ଼ା, ଇଟାଲୀ, ରୁଷିଆ, ସାଉଥ କୋରିଆ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ ପ୍ରମୁଖ ଦଶଟି ଦେଶରୁ ଶିଳ୍ପୀ ମାନେ ଭାଗନେଇ ଆଶୀର୍ବାଦ (Blessing ) ଶୀର୍ଷକ ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଶ୍ରୀ ସାହୁ କାଶତଣ୍ଡୀ ଫୁଲ ଓ କୁରେଇ ପତ୍ରରେ ସୁସଜ୍ଜିତ ଏକ ଆଶୀର୍ବାଦ ମୁଦ୍ରା ସହ ସାରିଆଁ ଧାନ କେଣ୍ଡା ଧରି ନୁଆଁଖାଇ ଜୁହାର ହେଉ ଥିବାଏକ ଯୁବତୀର ଚିତ୍ର ନିଖୁଣ ଭାବରେ ଅଙ୍କନ କରିଥିଲେ। ପଶ୍ଚିମ ଓଡିଶାର ମହାନ ସଂସ୍କୃତି କୁ ବିଦେଶ ମାଟିରେ ପ୍ରଦର୍ଶନ କରି ଅତ୍ୟନ୍ତ ଖୁସି ଅନୁଭବ କରିଥିବା ପ୍ରକାଶ କରିଛନ୍ତି ଓମ ପ୍ରକାଶ। ଉକ୍ତ ପ୍ରଦର୍ଶନୀଟି ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି।