Hot Posts

6/recent/ticker-posts

ମଣିଷ ମରା ଭାଲୁକୁ ୨୪ ଘଣ୍ଟାର ଅପରେସନ ପରେ କାବୁ କଲା ବନ ବିଭାଗ

ଝରିଗାଁ, ୧୪/୦୭ (ନକୁଲ ଭତରା) : ଝରିଗାଁ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏକ ମଣିଷ ମରା ଜଙ୍ଗଲୀ ଭାଲୁକୁ ପ୍ରାୟ ୨୪ ଘଣ୍ଟା ଧରି ଚାଲିଥିବା ସ୍ୱତନ୍ତ୍ର ଅପରେସନ ପରେ ବନ ବିଭାଗ ସଫଳତାର ସହ କାବୁ କରିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ବେଳେ ରେପିଡ୍ ରେସ୍ପନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏସିଏଫ୍ ଦୀପ୍ତିମୟୀ ସେଠୀଙ୍କ ନେତୃତ୍ୱରେ ୱାଇଲ୍ଡ ଲାଇଫ୍ ରେସ୍କ୍ୟୁ ଟିମ୍ ସମସ୍ତ ଆବଶ୍ୟକ ସରଞ୍ଜାମ ସହ ଅପରେସନ ଚଳାଇଥିଲେ। ଟ୍ରାଙ୍କୁଲାଇଜର ବ୍ୟବହାର କରି ଭାଲୁକୁ ନିୟନ୍ତ୍ରଣକୁ ଆଣିବା ପରେ ତାହାକୁ ସୁରକ୍ଷିତ ଭାବେ ଏକ ଯନ୍ତା ଗାଡ଼ିରେ ସ୍ଥାନାନ୍ତର କରାଯାଇଥିଲା। ବନ ବିଭାଗ ସୂଚନା ଅନୁଯାୟୀ, ଭାଲୁକୁ ପାପଡାହାଣ୍ଡି ଡିୟର ପାର୍କରେ ରଖାଯିବା ସହ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏସିଏଫ୍ ଦୀପ୍ତିମୟୀ ସେଠୀ ଏହି ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଞ୍ଚଳରେ ତିନୋଟି ଭାଲୁ ଚଳପ୍ରଚଳ କରୁଥିବା ଦେଖାଯାଇଥିଲେ ମଧ୍ୟ ଏହି ଅଭିଯାନରେ ଗୋଟିଏ ବିଶାଳକାୟ ଭାଲୁକୁ ଉଦ୍ଧାର କରାଯାଇଛି। ଭାଲୁଟି କାବୁ ହେବା ପରେ ଦୀର୍ଘ ସମୟ ଧରି ଭୟଭୀତ ଥିବା ଗ୍ରାମବାସୀମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଝରିଗାଁ ପୋଲିସ, ବନ ବିଭାଗ ଏବଂ ରେପିଡ୍ ରେସ୍ପନ୍ସ ଟିମ୍‌ର ମିଳିତ ଉଦ୍ୟମରେ ଏହି ଅଭିଯାନ ସଫଳ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଉଦ୍ଧାର ଅଭିଯାନ ସୋମବାର ସନ୍ଧ୍ୟା ପ୍ରାୟ ୬ଟାରେ ସଫଳତାର ସହ ଶେଷ ହୋଇଥିଲା।