Hot Posts

6/recent/ticker-posts

"ଭକ୍ତଙ୍କ ଅପାର ସମାଗମରେ ମହାପ୍ରଭୁଙ୍କ ଘୋଷଯାତ୍ରା ଧୂମଧାମରେ ସମ୍ପନ୍ନ"

ଝରିଗାଁ, ୧୭/୦୭ (ନକୁଲ ଭତରା) : ଝରିଗାଁ ବ୍ଲକର ବିଜାପୁର ସମେତ ବିଭିନ୍ନ ଗ୍ରାମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅତ୍ୟନ୍ତ ଧୂମଧାମ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ବିଶେଷକରି ବିଜାପୁର ଗ୍ରାମର ପାରମ୍ପରିକ ଘୋଷଯାତ୍ରା ଦେଖିବା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ। ଅପରାହ୍ଣ ପ୍ରାୟ ୨ଟା ପରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହୋମଯଜ୍ଞ ସମ୍ପନ୍ନ ହେବା ପରେ ରଥ ପ୍ରତିଷ୍ଠା, ରଥ ପରିକ୍ରମା ଓ ପହଣ୍ଡି ବିଜେ ନୀତି ସମ୍ପାଦନ କରାଯାଇଥିଲା। ପରେ ଅପରାହ୍ଣ ୪ଟାରୁ ୬ଟା ମଧ୍ୟରେ ଦୁଇ ଦଧିବାମନଜିଉ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହୋଇଥିଲେ। ସନ୍ଧ୍ୟା ପ୍ରାୟ ୫ଟା ପରେ ଭକ୍ତମାନଙ୍କ ‘ହରିବୋଲ’ ଓ ‘ଜୟ ଜଗନ୍ନାଥ’ ଧ୍ୱନି ମଧ୍ୟରେ ରଥଟଣା ନୀତି ଅନୁଷ୍ଠିତ ହୋଇଥିଲା। ରଥାରୂଢ଼ ସମୟରେ ପାଗ ଅନୁକୂଳ ଥିବାରୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଦଉଡ଼ି ସ୍ପର୍ଶ କରି ନିଜକୁ ଧନ୍ୟ ମନେ କରିଥିଲେ। ଯାତ୍ରା ଅବସରରେ ବିଜାପୁର ବଜାରରେ ବ୍ୟବସାୟ ମଧ୍ୟ ବେଶ୍ ଜମିଥିଲା ଏବଂ ବିଭିନ୍ନ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ପୂଜକ ଭାଗିରଥି ଦାସଙ୍କ ସମେତ ଗ୍ରାମ କମିଟିର ସମସ୍ତ ସଦସ୍ୟ ନୀତିକାନ୍ତି ସୁଚାରୁ ରୂପେ ସମ୍ପନ୍ନ କରିବାରେ ସହଯୋଗ କରିଥିଲେ। ଘୋଷଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଡାବୁଗାଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଫଳରେ ସମସ୍ତ ନୀତିକାନ୍ତି ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।