ବୁଗୁଡ଼ାରେ ଟ୍ରାଫିକ ସମସ୍ୟା, ପ୍ରତିକାର ଦାବି
ବୁଗୁଡ଼ା, ୧୬/୦୭ (ଡ.କୁମୁଦ ଚନ୍ଦ୍ର ବେହେରା) : ବୁଗୁଡ଼ା ସହରର ମୁଖ୍ୟ ସଡ଼କ ସମେତ ବିଭିନ୍ନ ଛକରେ ଯାନବାହାନ ଚଳାଚଳ ବେଳେ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୁଗୁଡ଼ା ମୁଖ୍ୟ ରାସ୍ତାରେ ଦୈନିକ ଶହ ଶହ ଯାନବାହାନ ଚଳାଚଳ ହେଉଥିବା ବେଳେ ବିଭିନ୍ନ ବେପାରୀ ରାସ୍ତା କଡ଼ ଅତିକ୍ରମ କରି ପସରା ମେଲାଇ ବେପାର ଜମାଉଥିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅଧିକାଂଶ ସମୟରେ ଯାନବାହାନ ଗୁଡ଼ିକର ଲମ୍ବା ଧାଡ଼ି ଲାଗିଯାଉଛି। ଏହି ସମସ୍ୟାର ସମାଧାନ କରିବାରେ ଦୀର୍ଘ ସମୟ ଲାଗିଯାଉଛି। ଅଯଥା ପାଟିତୁଣ୍ଡ ସାଙ୍ଗକୁ ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। ଜରୁରୀକାଳୀନ ସେବାରେ ନିୟୋଜିତ ଆମ୍ବୁଲାନ୍ସ ମଧ୍ୟ ବେଳେ ବେଳେ ଏହି ଟ୍ରାଫିକ ସମସ୍ୟାରେ ଫସିଯାଉଛି। ଟ୍ରାଫିକ ସମସ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ଏନ୍ଏସି ଏବଂ ପୁଲିସ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି।