ଗୁଡୁପାଙ୍ଗି ଗ୍ରାମରେ ଅଚଳ ଜଳଯୋଗାଣ ପ୍ରକଳ୍ପ, ନଳକୂପ ଭରସାରେ ଗ୍ରାମବାସୀ
ନୟାଗଡ, ୧୪/୦୭ (ସୁଧୀର କୁମାର ଦାସ) : ନୟାଗଡ ଜିଲ୍ଲାର ମାଳିସାହି ପଞ୍ଚାୟତ ଅନ୍ତର୍ଗତ ଗୁଡୁପାଙ୍ଗି ଗ୍ରାମରେ ଓଡ଼ିଶା ପାନୀୟ ଜଳଯୋଗାଣ ଯୋଜନା ଅଧୀନରେ ପ୍ରତ୍ୟେକ ଘର ଆଗରେ ପାଣି ଟ୍ୟାପ ସଂଯୋଗ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସେଗୁଡ଼ିକ ଅଚଳ ଓ ଭଗ୍ନ ଅବସ୍ଥାରେ ପଡ଼ିରହିଛି। ଫଳରେ ଗ୍ରାମବାସୀମାନେ ବାଧ୍ୟ ହୋଇ ନଳକୂପର ପାଣି ଉପରେ ନିର୍ଭର କରୁଛନ୍ତି। ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଅଧୀନରେ ପ୍ରତ୍ୟେକ ଘରକୁ ପାଣି ସଂଯୋଗ ଦିଆଯାଇଥିଲା। କିନ୍ତୁ ପ୍ରକଳ୍ପଟି କାର୍ଯ୍ୟକ୍ଷମ ନ ହେବାରୁ ଟ୍ୟାପଗୁଡ଼ିକ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଅନେକ ସ୍ଥାନରେ ଟ୍ୟାପ ଭାଙ୍ଗିଯାଇଥିବା ଏବଂ ଅବହେଳିତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳୁଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ସମ୍ପୃକ୍ତ ବିଭାଗର ଅଧିକାରୀ କିମ୍ବା ଜନପ୍ରତିନିଧିମାନେ ମଧ୍ୟ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ସମୀକ୍ଷା କରିନଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀମାନେ ଶୀଘ୍ର ଅଚଳ ପାନୀୟ ଜଳଯୋଗାଣ ବ୍ୟବସ୍ଥାର ମରାମତି କରି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।