ଶିଖରପୁରରେ ଗୁଣ୍ଡିଚା ପହଣ୍ଡି, ଭକ୍ତିମୟ ପରିବେଶରେ ବାହୁଡ଼ା ଯାତ୍ରା
ନୟାଗଡ଼, ୨୪/୦୭ ( ସୁଧିର କୁମାର ଦାସ ) : ନୟାଗଡ଼ ଜିଲ୍ଲା ସରଣକୁଳ ନିକଟସ୍ଥ ଶିଖରପୁର ଗ୍ରାମରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଛି ଗୁଣ୍ଡିଚା ପହଣ୍ଡି ଓ ବାହୁଡ଼ା ଯାତ୍ରା। ହରିବୋଲ ଧ୍ୱନି ଓ ହୁଳହୁଳିରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଉଠିଥିଲା। ସୂଚନା ଅନୁସାରେ, ଶିଖରପୁର ଗୁଣ୍ଡିଚା ମନ୍ଦିରରେ ବିଧିବଦ୍ଧ ପୂଜାର୍ଚ୍ଚନା ପରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କୁ ପହଣ୍ଡି କରାଯାଇ ରଥରେ ବିଜେ କରାଯାଇଥିଲା। ୯ ଦିନ ଧରି ଗୁଣ୍ଡିଚା ମନ୍ଦିରରେ ବିରାଜମାନ ରହିବା ପରେ ପ୍ରଭୁମାନଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ ହରିବୋଲ ଧ୍ୱନି ଓ ହୁଳହୁଳି ମଧ୍ୟରେ ଭାବବିହ୍ୱଳ ହୋଇ ରଥ ଟାଣିଥିଲେ। ଅପରାହ୍ନ ୩ଟାରୁ ରଥଟଣା ଆରମ୍ଭ ହୋଇ ସାଢ଼େ ୪ଟା ସୁଦ୍ଧା ପ୍ରଭୁମାନେ ମାଉସୀ ମା'ଙ୍କ ମନ୍ଦିରରେ ପହଞ୍ଚିଥିଲେ। ଶିଖରପୁର ଗ୍ରାମରେ ଶାନ୍ତି, ଶୃଙ୍ଖଳା ଓ ଭକ୍ତିମୟ ପରିବେଶ ମଧ୍ୟରେ ବାହୁଡ଼ା ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିବାବେଳେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।