Hot Posts

6/recent/ticker-posts

ଯୁବ କଳାକାର ଗୌରୀ ଶଙ୍କର ଦୁର୍ଗାଙ୍କୁ ଗନ୍ଧର୍ବ କଳା ସମ୍ମାନ–୨୦୨୬

କଳାହାଣ୍ଡି, ୨୪/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ପାଇଁ ଆସିଛି ଏକ ଗର୍ବର ଖବର। ଜିଲ୍ଲାର ଯୁବ କଳାକାର ଗୌରୀ ଶଙ୍କର ଦୁର୍ଗାଙ୍କୁ ଓଡ଼ିଶା କଳାକାର ସଂଘ (OKS), ଭୁବନେଶ୍ୱର ପକ୍ଷରୁ ପ୍ରଦାନ କରାଯାଇଛି ‘ଗନ୍ଧର୍ବ କଳା ସମ୍ମାନ–୨୦୨୬’। ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଆୟୋଜିତ ସମାରୋହରେ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ସଫଳତାକୁ ନେଇ କଳାହାଣ୍ଡି ଜିଲ୍ଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଯୁବ ପୁରସ୍କାର ପ୍ରାପ୍ତ ଗୌରୀ ଶଙ୍କର ଦୁର୍ଗା ନିଜ ସଙ୍ଗୀତ ପ୍ରତିଭା ବଳରେ ରୁଷ, ଲଣ୍ଡନ ଓ ଦୁବାଇ ପରି ଅନ୍ତର୍ଜାତୀୟ ମଞ୍ଚରେ କଳାହାଣ୍ଡିର ଗୌରବ ବଢ଼ାଇଛନ୍ତି। ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଯୁବ କଳାକାର ଛାତ୍ରବୃତ୍ତି ମଧ୍ୟ ପାଇଛନ୍ତି। ରାଜ୍ୟ ଓ ଜାତୀୟ ସ୍ତରର ଶତାଧିକ ମଞ୍ଚରେ ସଫଳ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ଗୌରୀ ଶଙ୍କର ଦୁର୍ଗାଙ୍କ ଏହି ନୂତନ ସଫଳତା କଳାହାଣ୍ଡି ପାଇଁ ଆଉ ଏକ ଗୌରବର ଅଧ୍ୟାୟ ଯୋଡ଼ିଛି। ଗୌରୀ ଶଙ୍କର ଦୁର୍ଗାଙ୍କୁ ଏହି ସମ୍ମାନ ମିଳିବା ପରେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ବିବେକାନନ୍ଦ ମହାନନ୍ଦଙ୍କ ସହ ବହୁ ବିଶିଷ୍ଟ ଗୁରୁ, କଳାକାର ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ଏହି ସମ୍ମାନ ଆଗାମୀ ଦିନରେ ତାଙ୍କୁ ଆହୁରି ଉଚ୍ଚ ଶିଖରକୁ ପହଞ୍ଚିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି।