ରଥରଖି ଚାନ୍ଦା ଆଦାୟ ଅଭିଯୋଗ: ବ୍ଲକ କର୍ମଚାରୀଙ୍କୁ ଆକ୍ରମଣ, ବିଡିଓ ଛବିରାଣୀ ସାହୁଙ୍କୁ ଦୁର୍ବ୍ୟବହାର
ବିଞ୍ଝାରପୁର, ୨୪/୦୭ (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ଥାନା ଅନ୍ତର୍ଗତ ଅରେଇ–ଶାସନ୍ଦା ମୁଖ୍ୟ ରାସ୍ତାରେ ଆଜି ବାହୁଡ଼ାଯାତ୍ରା ଅବସରରେ ଅରେଇ ଗ୍ରାମର କେତେକ ଅସାମାଜିକ ଯୁବକ ଜଗନ୍ନାଥଙ୍କ ରଥ ରଖି ବାଟୋଇ ମାନଙ୍କଠାରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏହି ସମୟରେ ବିଞ୍ଝାରପୁର ବ୍ଲକର କର୍ମଚାରୀ ଦୀପକ ଦଳେଇ ଓ ସୁଭାଶିଷ ପତି ସେହି ରାସ୍ତା ଦେଇ ଯାଉଥିବାବେଳେ ସେମାନଙ୍କୁ ମଧ୍ୟ ଅସାମାଜିକ ଯୁବକମାନେ ଅଟକାଇ ଚାନ୍ଦା ମାଗିଥିଲେ। ମାତ୍ର ଚାନ୍ଦା ନ ଦେବାରୁ ସଂଘବଦ୍ଧ ଭାବେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳ ଦେଇ ଯାଉଥିବା ବିଞ୍ଝାରପୁର ବିଡିଓ ଛବିରାଣୀ ସାହୁଙ୍କୁ ମଧ୍ୟ ଅସାମାଜିକ ବ୍ୟକ୍ତିମାନେ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି। ଖବର ପାଇ ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ ବିଡିଓ ଛବିରାଣୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରଥ ରଖି ଚାନ୍ଦା ମାଗିବାକୁ କେନ୍ଦ୍ର କରି ବ୍ଲକ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ସେଠାରେ ତାଙ୍କୁ ମଧ୍ୟ ଅସାମାଜିକ ବ୍ୟକ୍ତିମାନେ ଦୁର୍ବ୍ୟବହାର କରିଥିବା ସେ ପ୍ରକାଶ କରିଛନ୍ତି। ଏନେଇ ସେ ଫୋନ୍ ଯୋଗେ ପୋଲିସକୁ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।