Hot Posts

6/recent/ticker-posts

କଟକରେ କଡ଼ାକଡ଼ି ଯାଞ୍ଚ: ଟ୍ରାଫିକ ଓ ପରିବହନ ବିଭାଗର ମିଳିତ ଚଢ଼ାଉ, ୫.୭୯ ଲକ୍ଷରୁ ଅଧିକ ଜରିମାନା ଆଦାୟ

କଟକ, ୧୦/୦୭ ( କାହୁଁ ଚରଣ ବାରିକ ) : ସହରରେ ବେପରୁଆ ଯାନଚାଳନା ରୋକିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କଟକ ଟାଉନ ଟ୍ରାଫିକ ପୋଲିସ ଓ ଆରଟିଓ ବିଭାଗ ପକ୍ଷରୁ ମିଳିତ ଭାବେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଚାଲିଛି। ଏହି ଅଭିଯାନରେ ବିନା ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍ ସାର୍ଟିଫିକେଟ, ଇନ୍ସୁରାନ୍ସ, ପଲ୍ୟୁସନ୍ ସାର୍ଟିଫିକେଟ, ହେଲମେଟ, ସିଟ୍‌ବେଲ୍ଟ ବ୍ୟବହାର ନ କରିବା ସହ ପରିବର୍ତ୍ତିତ (ମୋଡିଫାଏଡ୍) ସାଇଲେନ୍ସର ବ୍ୟବହାର କରୁଥିବା ଯାନ ଚାଳକଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଉଛି। ଯାଞ୍ଚ ସମୟରେ ଇନ୍ସୁରାନ୍ସ, ପଲ୍ୟୁସନ୍ ସାର୍ଟିଫିକେଟ, ଡ୍ରଙ୍କ ଆଣ୍ଡ ଡ୍ରାଇଭ୍, ଫିଟନେସ୍ ଓ ଡ୍ରାଇଭିଂ ଲାଇସେନ୍ସ ନ ଥିବା ମାମଲାରେ ୪ ଲକ୍ଷ ୨୪ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ବେପରୁଆ ଗାଡ଼ି ଚାଳନା ପାଇଁ ୧ ଲକ୍ଷ ୫୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏହାଛଡ଼ା, ୩ ଜଣ ନାବାଳକଙ୍କ ବିରୋଧରେ ଏବଂ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ୩ଟି ମୋଡିଫାଏଡ୍ ବୁଲେଟ୍ ମୋଟରସାଇକେଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ବିନା ନମ୍ବର ପ୍ଲେଟ୍‌ର ୨ଟି ଯାନ ଜବତ କରାଯାଇଥିବା ସୂଚନା କଟକ ଟ୍ରାଫିକ ଆଇଆଇସି ଅନିରୁଦ୍ଧ ନାୟକ ଦେଇଛନ୍ତି। ପରିବହନ ବିଭାଗ ସ୍ପଷ୍ଟ କରିଛି ଯେ, ଫିଟନେସ୍, ପରମିଟ୍ ଓ ଇନ୍ସୁରାନ୍ସ ନ ଥିଲେ ଯାନ ଜବତ କରାଯିବ, ଯେତେବେଳେ ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ୍ ସାର୍ଟିଫିକେଟ ନ ଥିଲେ ନିୟମ ଅନୁଯାୟୀ ଜରିମାନା ଆଦାୟ କରାଯିବ। ପୋଲିସ ଓ ପରିବହନ ବିଭାଗ ସାଧାରଣ ଲୋକଙ୍କୁ ଘରୁ ବାହାରିବା ପୂର୍ବରୁ ହେଲମେଟ୍ ପିନ୍ଧିବା ସହ ଗାଡ଼ିର ସମସ୍ତ ବୈଧ କାଗଜପତ୍ର ସାଙ୍ଗରେ ରଖିବାକୁ ପରାମର୍ଶ ଦେଇଛି। ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।