Hot Posts

6/recent/ticker-posts

ଲାଞ୍ଜିଗଡ଼ର ତୁର୍କା ଗାଁରେ ଶିଶୁଙ୍କ ମଧ୍ୟରେ ଚର୍ମରୋଗ ସଂକ୍ରମଣ

ଲାଞ୍ଚିଗଡ଼, ୦୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ତୁର୍କା ଗାଁରେ ୨୦ ରୁ ଅଧିକ ଶିଶୁ ଚର୍ମରୋଗରେ ଆକ୍ରାନ୍ତ ହୋଇଥିବା ଘଟଣା ଚିନ୍ତା ବଢ଼ାଇଛି। ସଚେତନତାର ଅଭାବରୁ କିଛି ଗ୍ରାମବାସୀ ଏହାକୁ ଠାକୁରାଣୀଙ୍କ ପ୍ରକୋପ ବୋଲି ଭାବି ପୂଜାପାଠ କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା କରାଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ତୁର୍କା ଗାଁରେ ପ୍ରାୟ ୨୦ରୁ ଅଧିକ ଶିଶୁ ଦୀର୍ଘ ଦୁଇ ମାସ ଧରି ଚର୍ମରୋଗରେ ପୀଡ଼ିତ ହୋଇଛନ୍ତି। ଶିଶୁମାନଙ୍କ ଶରୀରରେ ଫୋଡ଼ା, ଘା' ଓ ଚର୍ମ ସଂକ୍ରମଣ ଦେଖାଯାଇଥିବାରୁ ଅଭିଭାବକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସଚେତନତାର ଅଭାବରୁ କିଛି ଗ୍ରାମବାସୀ ଏହାକୁ ଠାକୁରାଣୀଙ୍କ ପ୍ରକୋପ ବୋଲି ବିଶ୍ୱାସ କରି ପିଲାମାନଙ୍କୁ ଧୂପ ଦେବା ଏବଂ ହଳଦୀ ପାଣିରେ ଗାଧୋଇବା ଭଳି ପାରମ୍ପରିକ ପଦ୍ଧତି ଅନୁସରଣ କରୁଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଓ ସିଏଚଓଙ୍କ ଉଦ୍ୟମରେ ଆକ୍ରାନ୍ତ ଶିଶୁମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ଗାଁରେ ବିଶୁଦ୍ଧ ପାନୀୟ ଜଳର ଅଭାବ ଥିବାରୁ ସେମାନେ ଦୂଷିତ ନାଳ ପାଣି ଓ ଲୌହଯୁକ୍ତ ନଳକୂପ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ଚର୍ମ ସଂକ୍ରମଣ ବ୍ୟାପିଥିବା ଆଶଙ୍କା କରାଯାଉଛି। ତେବେ ରୋଗର ପ୍ରକୃତ କାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ପୁଷ୍ଟି ହୋଇନାହିଁ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ