ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର : ଗୌତମ ରାୟ, ୫ ବରିଷ୍ଠ ଡାକ୍ତରଙ୍କ ସମେତ ଜିଲ୍ଲାର ୭୧ ଡାକ୍ତରଙ୍କୁ ସମ୍ମାନ
ଯାଜପୁର ୨୦/୦୭ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାରେ ବର୍ତ୍ତମାନ ଡାକ୍ତରଙ୍କ ଅଭାବ ଏକ ବଡ଼ ସମସ୍ୟା ହୋଇ ରହିଛି। ଅନେକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ସତ୍ତ୍ୱେ, କାର୍ଯ୍ୟରତ ଡାକ୍ତରମାନେ ରୋଗୀଙ୍କ ସେବା ଓ ଚିକିତ୍ସା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଯାଜପୁର ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପ ନେତା ଗୌତମ ରାୟ କହିଛନ୍ତି। ସୀମିତ ମାନବସମ୍ପଦ ମଧ୍ୟରେ ସେମାନେ ଅଧିକ ସମୟ କାମ କରି ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବାରେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ରାୟ କହିଥିଲେ । ଡାକ୍ତରମାନଙ୍କୁ ‘ଦ୍ୱିତୀୟ ଭଗବାନ’ ବୋଲି କୁହାଯାଏ, ଏବଂ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କର ସମର୍ପଣ, କର୍ତ୍ତବ୍ୟନିଷ୍ଠା ଓ ମାନବିକ ସେବାଭାବ ସତରେ ପ୍ରଶଂସନୀୟ ବୋଲି ଶ୍ରୀ ରାୟ କହିବା ସହ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ । ଯାଜପୁର ଟାଉନ ଗୌତମ ବୁଦ୍ଧ ସଂସ୍କୃତି ପରିସରରେ ଦୈନିକ ‘ପ୍ରମେୟ’ ଓ ନ୍ୟୁଜ୍-୭' ପକ୍ଷରୁ ଡାକ୍ତର ଦିବସ ଅବସରରେ ହେଲ୍ଥ କନ୍କ୍ଲେଭ ଆୟୋଜନ କରାଯାଇଥିଲା। ‘ପ୍ରମେୟ’ ଡାଇରେକ୍ଟର ( ମାର୍କେଟିଂ ଆଣ୍ଡ ସେଲ୍ସ ) ହିମାଂଶୁ ହୋତା ଏହାକୁ ସଂଯୋଜନା କରିଥିଲେ। ବରିଷ୍ଠ ଶିଶୁ ବିଶେଷଜ୍ଞ ତା. ପ୍ରସନ୍ନ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମ୍ ଓ ଡା. ମନୋଜ ସେନାପତି, ମହାରାଜା ଯଯାତି କେଶରୀ ମେଡିକାଲ କଲେଜର ଆନାଟମି ବିଭାଗ ମୁଖ୍ୟ ଡା. ଧର୍ମନିରଂଜନ ମିଶ୍ର, ମହିଳା ଓ ପ୍ରସୂତି ବିଶେଷଜ୍ଞ ତା. ସୁମନ୍ତ୍ର କୁମାର ରାଉଳ, ବରୁଣେଶ୍ଵର ମହାବିଦ୍ୟାଳୟର ପୂର୍ବତନଅଧ୍ୟକ୍ଷ ଡ. ବଟକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗ ଦେଇ ଡାକ୍ତରଙ୍କ ସୁରକ୍ଷା ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜିଲ୍ଲାପାଳ ଶ୍ରୀ କର କହିଥିଲେ, ଡାକ୍ତରମାନଙ୍କୁ କେବଳ ଜାଣିଲେ ହେବ ନାହିଁ, ସେମାନଙ୍କୁ ବୁଝିବା ଆବଶ୍ୟକ। ଯାଜପୁରରେ ଡାକ୍ତରଙ୍କ ସଂଘର୍ଷକୁ ମୁଁ ନିକଟରୁ ଦେଖୁଛି। ଡାକ୍ତର ପଦବୀ ପଛରେ ରହିଛି ଅନେକ ତ୍ୟାଗ, ପରିଶ୍ରମ ଓ ମଣିଷ ଜୀବନ ପ୍ରତି ଦାୟିତ୍ଵ ।। ରାଜ୍ୟରେ ପର୍ଯ୍ୟାୟକ୍ରମେ ସରକାରୀ ଓ ଘରୋଇ ମେଡିକାଲ କଲେଜ ଖୋଲିବା ସହ ଏମ୍ ବି ବି ଏସ ସିଟ୍ ସଂଖ୍ୟା ବୃଦ୍ଧି ପାଇଛି । ଏହା ଦ୍ଵାରା ଆଗାମୀ ଦିନରେ ଡାକ୍ତର ଅଭାବ ଦୂର ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଆଇଏମ୍ଏର ରାଜ୍ୟ ସଭାପତି ଡା. ହରେକୃଷ୍ଣ ନାୟକ କହିଥିଲେ ଯେ, ଅତୀତରେ ରାଜ୍ୟରେ ମାତ୍ର ୩ଟି ସରକାରୀ ମେଡିକାଲ କଲେଜ ଥିବା ବେଳେ ବର୍ତ୍ତମାନ ଏହାର ସଂଖ୍ୟା ୬ରେ ପହଞ୍ଚିଛି। ଡ଼ାକ୍ତର ମଣିଷ ହେଲେବି ମେସିନ ଭଳି ଦିନ ରାତି କାମ କରୁଛନ୍ତି ବୋଲି ଅତିଥିମାନେ କହିଥିଲେ।ଯାଜପୁର ଜିଲ୍ଲାରେ ୪୫୮ ଜଣ ଡାକ୍ତର ରହିବା ଜାଗାରେ ମାତ୍ର ୨୧୮ଜଣ ଡାକ୍ତର ବିଭିନ୍ନ ସ୍ବାସ୍ଥ୍ୟ ଅନୁଷ୍ଠାନରେ କାର୍ଯ୍ୟରତ ଅଛନ୍ତି ବୋଲି ଶ୍ରୀ ରାୟ ସୂଚନା ଦେଇଥିଲେ।‘ପ୍ରମେୟ’ର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର ଯୋଗ ଦେଇ ଡାକ୍ତରଙ୍କ ମଧୁର ବ୍ୟବହାର ଓ ସାନ୍ତନ୍ଵା ମୂଳକ କଥା ରୋଗୀଙ୍କୁ ଅଧା ସୁସ୍ଥ କରିଦେଇଥାଏ ବୋଲି କହିଥିଲେ। ‘ନ୍ୟୁଜ୍-୭’ର କାର୍ଯ୍ୟକାରୀ ସଂପାଦକ ଦେବନାରାୟଣ ସେଠୀ , ଡି ଜି ଏମ୍ ଗଜେନ୍ଦ୍ର ଦାସ, ଉଦୟ ନାଥ ଖଣ୍ଡାଇ, ବିଶ୍ଵରୂପ ପରିଦା, ସତ୍ୟରଞ୍ଜନ ମିଶ୍ର, ପ୍ରମେୟର ଉପଖଣ୍ଡ ପ୍ରତିନିଧି ଦିଲ୍ଲିପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେପ୍ରମେୟ ହେଲଥ ପ୍ଲସ ସ୍ଵାସ୍ଥ୍ୟ ସମ୍ପର୍କିତ ପୁସ୍ତିକା ଉନ୍ମୋଚନ ଓ ଉଲ୍ଲେଖନୀୟ ସେବା ପାଇଁ ୫ ଜଣ ବରିଷ୍ଠ ଡ଼ାକ୍ତର ଓ ଜିଲାର ୭୧ ଜଣ ବଛା ବଛା ବଛା ଡାକ୍ତରଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ମା ବିରଜା ଙ୍କ ଆଶିଷ କାମନା କରିଥିଲେ ।