Hot Posts

6/recent/ticker-posts

ରାୟଗଡ଼ା ବନ ବିଭାଗ କୁ ଏକ ବଡ଼ ସଫଳତା

ରାୟଗଡା, ୧୬/୦୭ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲାରେ ବନ ବିଭାଗର ବଡ଼ ଧରପଗଡ଼। ଲେଲିଗୁମା ନିକଟସ୍ଥ ସାଙ୍ଗର ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବେ ମାଙ୍ଗାନିଜ୍ ଚୋରା ଚାଲାଣ ବେଳେ ଏକ ହାଇୱା, ଏକ JCB ଓ ଏକ ମୋଟରସାଇକେଲ୍ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ରାୟଗଡ଼ା ଜିଲ୍ଲା ଲେଲିଗୁମା ନିକଟସ୍ଥ ସାଙ୍ଗର ଜଙ୍ଗଲ ଅଞ୍ଚଳରେ ଆଜି ସକାଳେ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା। ରେଞ୍ଜର ଅନିଲ କୁମାର ପାଣିଗ୍ରାହୀ ଓ ଫରେଷ୍ଟର ଡମ୍ବୁ ଧରା ସେନାପତିଙ୍କ ନେତୃତ୍ୱରେ ଟିମ୍ କୋର୍କା ଗାଁ ନିକଟରେ ଚେକିଂ କରୁଥିବା ବେଳେ ଅବୈଧ ଭାବେ ମାଙ୍ଗାନିଜ୍ ପରିବହନ କରାଯାଉଥିବା ସୂଚନା ପାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଚଢ଼ାଉ ବେଳେ ଗୋଟିଏ ହାଇୱା, ଗୋଟିଏ JCB ଏବଂ ଗୋଟିଏ ମୋଟରସାଇକେଲକୁ ନିଶିଖଲ ନିକଟରେ ଅଟକାଇ ଜବତ କରାଯାଇଥିଲା। ଏହା ସହ ଏହି ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ମଧ୍ୟ ବନ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ଅନିଲ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ମାଙ୍ଗାନିଜ୍ ଚୋରା ଖନନ ଓ ଚାଲାଣ ନେଇ ଅଭିଯୋଗ ଆସୁଥିବା ବେଳେ ବନ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ପରେ ଅବୈଧ ଖନନ ଚକ୍ରରେ ଆତଙ୍କ ଖେଳିଯାଇଛି।