ଭବାନୀପାଟଣା, ୨୧/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅଲ୍ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (AOBSSOA) ପକ୍ଷରୁ ବିଭିନ୍ନ ସାଙ୍ଗଠନିକ ସମସ୍ୟା ଏବଂ ଦରମା ବୃଦ୍ଧି ସହ ୮ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଦିନେଶ କୁମାର କହଁରଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (BSSO), ସମସ୍ତ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (SSSO), ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଏବଂ ଜୁନିଅର ଆସିଷ୍ଟାଣ୍ଟମାନେ ଉପସ୍ଥିତ ଥିଲେ। ସଂଘ ପକ୍ଷରୁ ଦର୍ଶାଯାଇଛି ଯେ, ସାମାଜିକ ସୁରକ୍ଷା ବିଭାଗ ସହିତ ଅନ୍ୟାନ୍ୟ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ପେ-ଲେଭଲ୍କୁ ବୃଦ୍ଧି କରାଯାଉ ନାହିଁ, ଯାହାଫଳରେ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।2023 ମସିହାରେ ପ୍ରକାଶିତ ସାମାଜିକ ସୁରକ୍ଷା ଅଧିକାରୀଙ୍କ କ୍ୟାଡ଼ର ପୁନର୍ଗଠନ କୁ ତ୍ୱରିତ ଲାଗୁ କରିବା,ଦରମା ସ୍ତର ୯ ରୁ ୧୦ କୁ ବୃଦ୍ଧି କରିବା, ଗ୍ରାମ ପଞ୍ଚାୟତ ସ୍ତରରେ ସହାୟକ ନିଯୁକ୍ତି , ବାକି ଥିବା ଏମ.ଏ.ସି.ପି (MACP) ପ୍ରଦାନ , 2014 ପୂର୍ବରୁ ଯୋଗ ଦେଇଥିବା BSSO ମାନଙ୍କ ନୋସନାଲ ଇଂକ୍ରୀମେଣ୍ଟ,କନିଷ୍ଠ ସହାୟକ ମାନଙ୍କ କ୍ୟାଡ଼ର ଗଠନ ଏବଂ କାର୍ଯ୍ଯକ୍ରମ ସହାୟକଙ୍କ ନିୟମିତ କରଣ ଭଳି ପ୍ରମୁଖ ଦାବି ଏଥିରେ ସାମିଲ ରହିଛି। ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ କର୍ମଚାରୀଙ୍କ ସମସ୍ତ ଦାବିକୁ ସହାନୁଭୂତିର ସହ ଶୁଣିବା ସଙ୍ଗେ ସଙ୍ଗେ ଏହି ୮ ଦଫା ଦାବିପତ୍ରକୁ ରାଜ୍ୟ ସରକାରଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଶୀଘ୍ର ପଠାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରକାରଙ୍କ ସ୍ତରରେ ଏହି ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିନିଧି ଦଳକୁ ଆଶ୍ୱାସନା ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
