ପୋଲିସ ହାବୁଡ଼ରେ ଚୋରା ଗଞ୍ଜେଇ ଚାଲାଣ ଏସକର୍ଟ ଟିମ : ପିସ୍ତଲ, ଗୁଳି ବାଇକ ସହ ୪ଗିରଫ
ଭଞ୍ଜନଗର, ୧୮/୦୭ ( ଜେ. କେ. ପଟ୍ଟନାୟକ ) : ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ଗାଡ଼ିକୁ ସୁରକ୍ଷା ଯୋଗାଇ ଦେଉଥିବା ୪ଜଣ ଅପରାଧୀଙ୍କୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ମାନେ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ସେମାନେ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ରହି ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଗାଡ଼ିକୁ ରାସ୍ତା ପାର ହେବାରେ ସହଯୋଗ କରି ଆସୁଥିବା ଜଣାପଡିଛି। ଶୁକ୍ରବାର ରାତି ୧୧ଟା ସମୟରେ ଭଞ୍ଜନଗର ଥାନା ଏସ.ଆଇ. ସମୀର କୁମାର ସେଠୀ ଏବଂ ଥାନା କର୍ମଚାରୀମାନେ ଭଞ୍ଜନଗର ବାଇପାସ ରୋଡ଼ ଚକରା ବିଷୋୟୀ ଛକ ନିକଟରେ ଯାନବାହାନ ଯାଞ୍ଚ କରୁଥିଲେ। ସେହି ସମୟରେ କନ୍ଧମାଳ ପଟୁ ଦୁଇଟି ମୋଟର ସାଇକେଲରେ ୪ ଜଣ ବ୍ୟକ୍ତି ଆସୁଥିଲେ ଏବଂ ପୋଲିସକୁ ଦେଖି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ପୁନର୍ବାର କନ୍ଧମାଳ ଆଡ଼କୁ ଫେରିଯିବାକୁ ଚେଷ୍ଟା କରୁଥିଲେ । ସଙ୍ଗେ ସଙ୍ଗେ ପୋଲିସ ଟିମ ସେମାନଙ୍କୁ ପିଛା କରି ଭଞ୍ଜନଗର ପୋଲ ନିକଟରେ ଚାରି ଜଣ ବ୍ୟକ୍ତିଙ୍କୁ ସେମାନଙ୍କ ମୋଟର ସାଇକେଲ ସହିତ ଅଟକ ରଖିବାରେ ସକ୍ଷମ ହୋଇଥିଲେ । ଭୋଳା ନାହାକ ନାମକ ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ପୋଲିସ ଦଳକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।ବହୁ କଷ୍ଟରେ ତାକୁ କାବୁ କରାଯାଇଥିଲା ଏବଂ ତାଙ୍କ ନିକଟରୁ ଅପରାଧରେ ବ୍ୟବହୃତ ଗୋଟିଏ ୭.୬୫ ଏମଏମ ଦେଶୀ ପିସ୍ତଲ, ଦୁଇ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ୍, ଗୋଟିଏ ମୋବାଇଲ୍ ଫୋନ୍ ଓ ୨ଟି ବାଇକ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ କୋଦଳା ଥାନା ଛଚିଣା ଗ୍ରାମର ଭୋଳା ନାହାକ, ବେଗୁନିଆପଡା ଭାବିନି ପୁର ର ଭାଗିରଥି ଗୌଡ଼, କବିସୂର୍ଯ୍ୟନଗର ର ବେଲାଳସେନ ସ୍ୱାଇଁ ଓ ପୁରୁଷୋତ୍ତମପୁର ଭୁତଶରସିଂ ର ବଂଶୀଧର ବିଷୋୟୀ।ପଚରାଉଚରା ସମୟରେ ସେମାନେ ସାଧାରଣତଃ କନ୍ଧମାଳରୁ ବ୍ରହ୍ମପୁରକୁ ବେଆଇନ ଗଞ୍ଜେଇ ପରିବହନ କରୁଥିବା ଗାଡ଼ିକୁ ସୁରକ୍ଷା ଦେଉଥିବା କହିଛନ୍ତି।ଏହି ଘଟଣାରେ ଭଞ୍ଜନଗର ପୋଲିସ ୬୭୦/୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍ଡ଼ିପିଓ ଡକ୍ଟର ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି।ଅନ୍ୟମାବାଙ୍କ ମଧ୍ୟରେ ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠୀ, ଏସ ଆଇ ଲଷ୍ମୀଧର ମହାନ୍ତି, ଏସ ଆଇ ଜ୍ୟୋସ୍ନା ସାହୁ ଓ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।