ମୌସୁମୀ ବର୍ଷାରେ ଚାଷୀଙ୍କ ମୁହଁରେ ଫୁଟିଲା ହସ
ନବରଙ୍ଗପୁର, ୦୫/୦୭ (ଶେଖର ଖୁରା) : ନବରଙ୍ଗପୁର ଜିଲ୍ଲାରେ ମୌସୁମୀ ବର୍ଷା ଆଗମନ ପରେ ଚାଷୀଙ୍କ ମୁହଁରେ ହସ ଫୁଟିଛି। ବର୍ଷାର ଅଭାବ ଯୋଗୁଁ ଦୀର୍ଘଦିନ ଧରି ଚାଷ କାର୍ଯ୍ୟ ଆରମ୍ଭ କରିପାରୁ ନଥିବା ଚାଷୀମାନେ ଚିନ୍ତାରେ ଥିଲେ। କିନ୍ତୁ ନିକଟରେ ହୋଇଥିବା ମୌସୁମୀ ବର୍ଷା ସେମାନଙ୍କ ପାଇଁ ଆଶାର କିରଣ ପାଲଟିଛି। ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷୀମାନେ ନିଜ ନିଜ ଜମିକୁ ଯାଇ ଚାଷ କାମରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ବିଶେଷକରି ତେନ୍ତୁଳୀଖୁଣ୍ଟି ବ୍ଲକରେ ସ୍ୱାଭାବିକ ବର୍ଷାର ପ୍ରାୟ ୭୩ ପ୍ରତିଶତ ରେକର୍ଡ ହୋଇଥିବା ସୂଚନା ମିଳିଛି। ଏହି ବର୍ଷା ଚାଷ କାର୍ଯ୍ୟକୁ ଗତିଶୀଳ କରିଥିବା ବେଳେ ଧାନ ବୁଣା ଓ ଅନ୍ୟାନ୍ୟ କୃଷି କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ସେହିପରି ନବରଙ୍ଗପୁର ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରେ ମଧ୍ୟ ଚାଷୀମାନେ ଚାଷ କାମରେ ବ୍ୟସ୍ତ ଥିବା ଦେଖାଯାଉଛି। ସମୟୋପଯୋଗୀ ବର୍ଷା ହୋଇଥିବାରୁ ଚଳିତ ଖରିଫ ଋତୁରେ ଭଲ ଅମଳ ହେବ ବୋଲି ଚାଷୀମାନେ ଆଶା ପ୍ରକାଶ କରିଛନ୍ତି।
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର