ଭବାନୀପାଟଣା, ୦୯/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ସାମ୍ପ୍ରତିକ ସମାଜରେ ଉପୁଜୁଥିବା ବିଭିନ୍ନ ଗମ୍ଭୀର ଓ ଚିନ୍ତାଜନକ ସାମାଜିକ ସମସ୍ୟାର ସମାଧାନ ତଥା ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ‘ଶ୍ରୀ ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭା’ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଅନଲାଇନ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ବର୍ତ୍ତମାନ ସମୟର ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ଯେପରିକି ମଥୁରା ଘଟଣା, ନୀଳ ଡ୍ରମ୍ ପ୍ରକରଣ ଏବଂ ପାହାଡ଼ି ଅଞ୍ଚଳରେ ଘଟିଥିବା ଅମାନବୀୟ ଘଟଣାବଳୀ ସମେତ ବିଭିନ୍ନ ସାମାଜିକ ବିଭ୍ରାଟ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ଏଭଳି ଅପରାଧିକ ତଥା ଅମାନବୀୟ ଘଟଣା ପ୍ରତି ଗଭୀର ସମ୍ବେଦନା ବ୍ୟକ୍ତ କରିବା ସହ ଏହାର ମୂଳ କାରଣ ଖୋଜିବା ଉପରେ ଜୋର୍ ଦେଇଥିଲେ। କେବଳ ଘଟଣାର ଆଲୋଚନା ନୁହେଁ, ବରଂ ଭବିଷ୍ୟତରେ ଏଭଳି ସ୍ପର୍ଶକାତର ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପ୍ରଭାବଶାଳୀ ରଣନୀତି ଓ ପଦକ୍ଷେପ ଉପରେ ବିଚାର ବିମର୍ଶ କରାଯାଇଥିଲା। ବିଶେଷ କରି ସମାଜରେ ନୈତିକ ମୂଲ୍ୟବୋଧର ପୁନରୁଦ୍ଧାର, ପାରିବାରିକ ସଂସ୍କାରର ଜାଗରଣ, ସାମାଜିକ ସଚେତନତା ଏବଂ ସାମୂହିକ ସାମାଜିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ପାଇଁ ବୈଠକରେ ବ୍ୟାପକ ଆହ୍ୱାନ ଦିଆଯାଇଛି। ଏହି ଅବସରରେ ଶ୍ରୀ ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭା ସମାଜ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇ ସାମାଜିକ ସଚେତନତା, ନୈତିକ ଶିକ୍ଷା ଓ ଜନ-ସହଭାଗିତା ମାଧ୍ୟମରେ ଏକ ସୁରକ୍ଷିତ, ସଂସ୍କାରଯୁକ୍ତ ଏବଂ ସଶକ୍ତ ସମାଜ ଗଠନ ପାଇଁ ନିରନ୍ତର କାର୍ଯ୍ୟ କରିବ ବୋଲି ଦୃଢ଼ ସଂକଳ୍ପ ନେଇଛି। ବୈଠକରେ ଉପସ୍ଥିତ ସମ୍ମାନିତ ଅତିଥି ଓ ସଦସ୍ୟମାନଙ୍କ ଦୂରଦୃଷ୍ଟିସମ୍ପନ୍ନ ତଥା ସକାରାତ୍ମକ ପରାମର୍ଶ ଆଗାମୀ ଦିନରେ ସାମାଜିକ ଦିଗ୍ଦର୍ଶନ ଦେବାରେ ବିଶେଷ ସହାୟକ ହେବ ବୋଲି ଆଶା ପ୍ରକଟ କରାଯାଇଛି। ଏହି ମହତ୍ତ୍ୱପୂର୍ଣ୍ଣ ଆଲୋଚନା ଚକ୍ରରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିଷ୍ଠିତ ମହିଳା ନେତୃତ୍ୱ ଓ ବିଶିଷ୍ଟ ପଦାଧିକାରୀ ସଂସ୍କୃତି ସିଂ, ଜୟା ସିଂ ଜୁଦେବ ଜୀ, ସୁକିନ୍ଦା ଯୁବରାଣୀ ଅପରାଜିତା ସିଂହ ଦେଓ, ମାୟା ରାଠୋର ଜୀ, ପରିଣୀତା ଏସ୍ କୁମାରୀ ଜୀ, ଅନାମିକା ଚୌହାନ ଜୀ, ଡଃ ଅଞ୍ଜନା ସିଂ ଜୀ, ହେମଲତା ସିଂ ଜୀ, ଅମ୍ରିତା ନାରାୟଣ ସିଂ ଜୀ, ସ୍ୟାଲି ଜୀ ଏବଂ ଶାଲିନୀ କପୁର ଜୀ ପ୍ରମୁଖ ଯୋଗଦେଇ ନିଜର ଅମୂଲ୍ୟ ବିଚାର ଓ ପରାମର୍ଶ ଉପସ୍ଥାପନ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
