ଚାଷ କରୁଥିବା ବେଳେ ଟ୍ରାକ୍ଟର ଓଲଟି ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ
କଲ୍ୟାଣସିଂହପୁର, ୧୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଟ୍ରାକ୍ଟର ରେ ଚାଷକାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ରାୟଗଡ଼ା କଳାହାଣ୍ଡି ସୀମାନ୍ତ ଅଞ୍ଚଳ ରେ ଘଟିଛି।ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିଲେଟ ପଞ୍ଚାୟତର ସେଲେଟ ଗ୍ରାମର ବିପିନ ନାଏକଙ୍କ ଟ୍ରାକ୍ଟର ( OD-18H-0671) ଆଜି ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତର କଳାକୁପା ଗାଁର ବନ ବିଭରଙ୍କ ଜମିରେ ଚାଷ କାମ କରିବାକୁ ଯାଇଥିଲା। ଦିନ ସମୟରେ ବାଢ଼ରେ ଚାଷ କରୁଥିବା ବେଳେ ହଠାତ୍ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଟ୍ରାକ୍ଟର ଚାଳକ ସୁଶାନ୍ତ ଗୌଡ଼ (୧୯) ଗୁରୁତର ଭାବେ ଚାପି ହୋଇ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ।ଘଟଣା ପରେ ସ୍ଥାନୀୟ ଲୋକମାନେ ସୁଶାନ୍ତଙ୍କୁ ଉଦ୍ଧାର କରି ଜୀବିତ ଥିବା ଆଶାରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇବା ପରେ ସ୍ଥାନୀୟ ପୋଲିସ ବିଜେପୁର ଥାନାକୁ ସୂଚନା ଦେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରାଇବା ସହ ଆସନ୍ତା କାଲି ଶବ ବ୍ୟବଛେଦ ହେବା ନେଇ ସୂଚନା ମିଳିଛି |