Hot Posts

6/recent/ticker-posts

ଲଗାଣ ବର୍ଷାରେ ବଙ୍କାପୁର ରାସ୍ତା କାଦୁଅମୟ, ଜନଜୀବନ ଅସ୍ତବ୍ୟସ୍ତ

ନୂଆପଡା, ୨୬/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବଙ୍କାପୁର ଗ୍ରାମରେ ସାମ୍ପ୍ରତିକ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗ୍ରାମର ଆଭ୍ୟନ୍ତରୀଣ ରାସ୍ତାଘାଟ ଶୋଚନୀୟ ହୋଇପଡ଼ିଥିବା ବେଳେ ଯାତାୟାତ ଲାଗି ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗ୍ରାମର ମୁଖ୍ୟ ଖେଳପଡ଼ିଆକୁ ସଂଯୋଗ କରୁଥିବା ରାସ୍ତାଟି ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ବର୍ଷା ଜଳ ନିଷ୍କାସନର କୌଣସି ସୁବିଧା ନଥୁବାରୁ ରାସ୍ତା ସାରା ଆଣ୍ଠୁଏ ଉଚ୍ଚର କାଦୁଅ ଓ ଦୂଷିତ ପାଣି ଜମି ରହିଛି। ଏହି ବାଟ ଦେଇ ଗାଡ଼ିମୋଟର ଚଳାଚଳ ତ ଦୂରର କଥା, ପାଦରେ ଚାଲିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ଫଳରେ ବୃଦ୍ଧ, ମହିଳା, ଓ ଗର୍ଭବତୀ ମହିଳାମାନେ ଏହି ରାସ୍ତା ଦେଇ ଯାତାୟତ କରିବାକୁ ଭୟ କରୁଛନ୍ତି। ସେହିପରି ରାସ୍ତାରେ ଦୀର୍ଘଦିନ ଧରି ପାଣି ଜମି ରହିଥ‌ିବାରୁ ଦୁର୍ଗନ୍ଧ ବାହାରିବା ସହ ମଶା ଓ ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ତେଣୁ ଆଖପାଖ ଅଞ୍ଚଳରେ ଡେଙ୍ଗୁ, ମ୍ୟାଲେରିଆ, ଝାଡ଼ାବାନ୍ତି ଓ ଚର୍ମରୋଗ ଭଳି ସାଂଘାତିକ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଥିବାରୁ ଗ୍ରାମବାସୀମାନେ ଚିନ୍ତାପ୍ରକଟ କରିଛନ୍ତି। ଅନ୍ୟପକ୍ଷେ ଗ୍ରାମର ଖେଳପଡ଼ିଆକୁ ସଂଯୋଗ କରୁଥିବାଏହି ମୁଖ୍ୟ ରାସ୍ତାଟି ସମ୍ପୂର୍ଣକାଦୁଅମୟହୋଇଯାଇଥିବାରୁ ଗାଁର ଛାତ୍ରଛାତ୍ରୀ ଓ ଯୁବକମାନେ ଖେଳପଡ଼ିଆକୁ ଯାଇପାରୁନାହାନ୍ତି। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଲାଗି ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚ, ଖଡ଼ିଆଳ ବିଡିଓ ଏବଂ ନୂଆପଡ଼ା ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ତୁରନ୍ତ ରାସ୍ତାର ମରାମତି କରିବା ସହ ଡ୍ରେନେଜ ନିର୍ମାଣ ଓ ମଶା ତେଲ/ବ୍ଲଟିଂ ପାଉଡର ସିଞ୍ଚନ ଲାଗି ଦାବି କରାଯାଇଛି।