ବିଜୁ ଏକ୍ସପ୍ରେସ୍ ୱେ ସଂଯୋଗୀ ରାସ୍ତା କାଦୁଅମୟ, ଯାତାୟାତରେ ନାକେଦମ ଲୋକେ
ନୂଆପଡ଼ା, ୨୯/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍ ୱେର କେନ୍ଦୁମୁଣ୍ଡାରୁ ବଘାମୁଣ୍ଡା ଦେଇ କୋମନାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ଦେଢ଼ ମାସ ପୂର୍ବରୁ ମାଟି କାମ ସମ୍ପୂର୍ଣ୍ଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପିଚୁ କାମ ଆରମ୍ଭ ହୋଇନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତାଟି କାଦୁଅମୟ ହୋଇପଡ଼ୁଛି ଏବଂ ଯାତାୟାତରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଉପରେ ଅଗ୍ରେନ, ରଜନା, ଦେଓଦରା ପଞ୍ଚାୟତ ସମେତ ବୋଡେନ ବ୍ଲକର କିଛି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ। କୋମନା ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସାପ୍ତାହିକ ହାଟକୁ ଯାତାୟାତ ପାଇଁ ଏହି ରାସ୍ତା ପ୍ରମୁଖ ଭୂମିକା ନିର୍ବାହ କରୁଛି। ସେହିପରି ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ବ୍ୟବହାର କରୁଛନ୍ତି। ରାସ୍ତା କାଦୁଅମୟ ହୋଇଥିବାରୁ ଲୋକମାନଙ୍କୁ ବିକଳ୍ପ ପଥ ଦେଇ ପ୍ରାୟ ୫ କିଲୋମିଟର ଅଧିକ ରାସ୍ତା ବୁଲି ଯିବାକୁ ପଡ଼ୁଛି। ଏହାଦ୍ୱାରା ସମୟ ଓ ଅର୍ଥର ଅପଚୟ ହେଉଥିବା ବେଳେ ଦୈନନ୍ଦିନ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହେଉଛି। ସ୍ଥାନୀୟ ଲୋକେ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଶୀଘ୍ର ପିଚୁ କାମ ସମ୍ପୂର୍ଣ୍ଣ କରି ରାସ୍ତାକୁ ଯାତାୟାତ ଉପଯୋଗୀ କରିବାକୁ ଦାବି କରିଛନ୍ତି।