୭ ଲକ୍ଷ ଟଙ୍କାର ପେଭର ବ୍ଲକ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି
ସିନାପାଲି, ୦୪/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମ ପଞ୍ଚାୟତର କୋପିଆ ବଜାର ପଡ଼ାରେ ଚାଲିଥିବା ପେଭର ବ୍ଲକ ବିଛା କାମକୁ ନେଇ ବ୍ୟାପକ ଅନିୟମିତତା ଅଭିଯୋଗ ଉଠିଛି। ପ୍ରାୟ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପ୍ରକଳ୍ପରେ ନିମ୍ନମାନର ସାମଗ୍ରୀ ସହ କଥିତ ଭାବେ ଡୁପ୍ଲିକେଟ୍ ସିମେଣ୍ଟ ବ୍ୟବହାର ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସ୍ଥାନୀୟଙ୍କ କହିବାନୁସାରେ, ସରକାରୀ ମାନଦଣ୍ଡକୁ ଅବହେଳା କରି ନିର୍ମାଣ କାମ କରାଯାଉଥିବାରୁ କାର୍ଯ୍ୟର ଗୁଣବତ୍ତା ପ୍ରଭାବିତ ହେଉଛି। ମାନକଯୁକ୍ତ ସିମେଣ୍ଟ ପରିବର୍ତ୍ତେ ନିମ୍ନମାନର ସିମେଣ୍ଟ ବ୍ୟବହାର କରାଯାଉଥିବା ଫଳରେ ପ୍ରକଳ୍ପର ସ୍ଥାୟୀତ୍ୱ ନେଇ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପକ୍ଷରେ, କାର୍ଯ୍ୟସ୍ଥଳରେ ସରକାରୀ ନିୟମ ଅନୁଯାୟୀ ସୂଚନା ଫଳକ ଲଗାଯାଇନଥିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପ୍ରକଳ୍ପର ମୋଟ ବ୍ୟୟ, କାର୍ଯ୍ୟର ଅବଧି, କାର୍ଯ୍ୟକାରୀ ସଂସ୍ଥା ଓ ଅନ୍ୟାନ୍ୟ ତଥ୍ୟ ସାଧାରଣ ଲୋକଙ୍କ ପାଇଁ ପ୍ରଦର୍ଶିତ ହୋଇନଥିବାରୁ ସ୍ୱଚ୍ଛତାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସିନାପାଲି ବ୍ଲକର କନିଷ୍ଠ ଯନ୍ତ୍ରୀ ଶ୍ରୀ ସଂଗ୍ରାମ କେଶରୀ ପରିଡ଼ାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ୍ କରିନଥିବାରୁ ତାଙ୍କ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ। ଏହି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରି ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ପ୍ରକଳ୍ପର ସମସ୍ତ ବିବରଣୀ ସାର୍ବଜନୀନ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି। ପ୍ରଶାସନ ପକ୍ଷରୁ ଏହି ଅଭିଯୋଗ ଉପରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।