Hot Posts

6/recent/ticker-posts

ପ୍ରକୃତିର ଅପୂର୍ବ ଉପହାର ‘ପରୱାଭାଡ଼ି’ ସୌନ୍ଦର୍ଯ୍ୟକୁ ଲୋକଲୋଚନକୁ ଆଣିବାକୁ ଯୁବକଙ୍କ ପ୍ରୟାସ

ନୂଆପଡ଼ା, ୨୭/୦୭ (ପରମେଶ୍ୱର ମେହେର) : ପାହାଡ଼ର ସବୁଜ ଚାଦର ଭିତରେ କୁଳୁକୁଳୁ ହୋଇ ବହିଯାଉଥିବା ଜଳଧାରା, ଚାରିପାଖରେ ଘଞ୍ଚ ସବୁଜ ବନାନୀ ଓ ନିରବ ପ୍ରକୃତିର ମନୋମୁଗ୍ଧକର ପରିବେଶ । ବର୍ଷା ଆସିଲେ ପାହାଡ଼ର ଛାତି ଚିରି ସ୍ତର ସ୍ତର ହୋଇ ତଳକୁ ଝରିପଡ଼ୁଥିବା ଜଳରାଶି ସୃଷ୍ଟି କରେ ଏକ ଅପୂର୍ବ ଦୃଶ୍ୟ । ପ୍ରକୃତିର ଏହି ଅନନ୍ୟ ରୂପ ପର୍ଯ୍ୟଟକଙ୍କୁ ଆପଣାଛାଏଁ ଆକର୍ଷିତ କରିବାର ସାମର୍ଥ୍ୟ ରଖିଥିଲେ ମଧ୍ୟ ଏବେ ବି ଅନେକଙ୍କ ଅଜଣା । ଏହା ହେଉଛି ନୂଆପଡ଼ା ଜିଲ୍ଲାର ପାଟଦରହା ଅଞ୍ଚଳରେ ଅବସ୍ଥିତ ‘ପରୱାଭାଡ଼ି ଜଳପ୍ରପାତ’। ସିନାପାଲିଠାରୁ ପ୍ରାୟ ୪୫ କିଲୋମିଟରଓପାତାଳଗଙ୍ଗାଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଏହି ପ୍ରାକୃତିକ ସ୍ଥାନ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳୀ ହୋଇପାରେ । ବିଶେଷକରି ବର୍ଷା ଋତୁରେ ପାହାଡ଼ ଉପରୁ ପାହାଚ ଭଳି ସ୍ତରରେ ତଳକୁ ଖସିଆସୁଥିବା ଜଳଧାରା ଓ ଚାରିପାଖର ସବୁଜିମା ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଦିଏ । ଝରଣାର କୁଳୁକୁଳୁ ଶବ୍ଦ, ପାହାଡ଼ିଆ ପବନ ଓ ନିର୍ମଳ ପ୍ରାକୃତିକ ପରିବେଶ ମଧ୍ୟରେ କିଛି ସମୟ ବିତାଇବାର ଅନୁଭୂତି ନିଶ୍ଚିତ ଭାବେ ଭିନ୍ନ । ଅପାର ପ୍ରାକୃତିକ ସମ୍ଭାବନା ଥିବା ସତ୍ତ୍ୱେ ପରୱାଭାଡ଼ି ଜଳପ୍ରପାତ ଏବେ ବି ପର୍ଯ୍ୟଟନ ମାନଚିତ୍ରରେ ସେଭଳି ପରିଚିତି ହାସଲ କରିପାରିନାହିଁ । ପ୍ରଚାର ଓ ପ୍ରସାରର ଅଭାବ ସାଙ୍ଗକୁ ଉପଯୁକ୍ତ ଯାତାୟାତ ବ୍ୟବସ୍ଥା, ସୁରକ୍ଷା ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧାର ଅଭାବ ଯୋଗୁଁ ଏହି ମନୋରମ ସ୍ଥାନ ଏବେ ବି ଅନେକଙ୍କ ନଜରରୁ ଦୂରରେ ରହିଛି । ଯଦି ଏହି ସ୍ଥାନକୁ ଯିବା ପାଇଁ ଉତ୍ତମ ସଡ଼କ ନିର୍ମାଣ, ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା, ଆବଶ୍ୟକ ମୌଳିକ ସୁବିଧା ଓ ବ୍ୟାପକ ପ୍ରଚାର ପ୍ରସାର କରାଯାଏ, ତେବେ ପରୱାଭାଡ଼ି ଜଳପ୍ରପାତ ନୂଆପଡ଼ା ଜିଲ୍ଲାର ଏକ ପ୍ରମୁଖ ପ୍ରକୃତି ପର୍ଯ୍ୟଟନସ୍ଥଳୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିପାରିବ ବୋଲି ମତ ପ୍ରକାଶ ପାଇଛି । ଏହି ଅଜଣା ଓ ଅବହେଳିତ ପ୍ରାକୃତିକ ସମ୍ପଦର ପ୍ରଚାର ପ୍ରସାର କରି ଏହାର ସୌନ୍ଦର୍ଯ୍ୟର ବାର୍ତ୍ତା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସିନାପାଲିର ଭାଇରସ ଗ୍ୟାଙ୍ଗ ର କିଛି ଯୁବକ ଏକ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଉଦ୍ୟମରେ ମନୋଜ ମେହେର, ଦଶରଥ ନାୟକ, ନରେଶ ମେହେର, ଜିତେନ୍ଦ୍ର ମେହେର, ଅଖିଳ ମେହେର, ବିରାଟ ମେହେର, ନଇମିସ ମେହେର, ସୂର୍ଯ୍ୟା ମେହେର, ରିଙ୍କୁ ମେହେର, ପ୍ରମୋଦ ମେହେର, ପୁସ୍ତମ ମେହେର ଓ ମଳୟ ମେହେର ପରିଦର୍ଶନ କରି ପରୱାଭାଡ଼ି ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଏକ ଛୋଟ ପ୍ରୟାସ କରିଛନ୍ତି । ଏଭଳି ପ୍ରାକୃତିକ ସ୍ଥାନର ପ୍ରଚାର ପ୍ରସାର ମାଧ୍ୟମରେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ ଏବଂ ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶର ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ସ୍ଥାନୀୟ ଅଞ୍ଚଳବାସୀଙ୍କ ମତରେ, ପରୱାଭାଡ଼ି ଜଳପ୍ରପାତର ବିକାଶ ପାଇଁ ପ୍ରଥମେ ଉପଯୁକ୍ତ ସଡ଼କ ଓ ଯାତାୟାତ ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ । ଏଥିସହ ଏହାର ବ୍ୟାପକ ପ୍ରଚାର ପ୍ରସାର କରାଯିବା ଦରକାର । ପ୍ରଶାସନ ଏହି ପ୍ରାକୃତିକ ସ୍ଥାନ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେଲେ ପରୱାଭାଡ଼ି ଆଗାମୀ ଦିନରେ ନୂଆପଡ଼ାର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ହୋଇପାରିବ ।