Hot Posts

6/recent/ticker-posts

ଖଡିଆଳ ମାଟିରେ କଲାହାଣ୍ଡି ସାଂସଦ ମାଳବିକା ଦେବୀ

ସିନାପାଲି, ୧୨/୦୭ ( ପରମେଶ୍ୱର ମେହେର ) : ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି: ଖଡ଼ିଆଳରେ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀ ସମ୍ମିଳନୀ; ରେଳପଥ, ଜଳସେଚନ ପ୍ରକଳ୍ପ ଉପରେ ଗୁରୁତ୍ୱ । କେନ୍ଦ୍ରର ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରେ ନୂଆପଡ଼ା ଜିଲ୍ଲା, ଖଡ଼ିଆଳ ରାଜ ଦରବାର ହଳଠାରେ ଏକ ବୁଦ୍ଧିଜୀବୀ ଓ ଅବସର ପ୍ରାପ୍ତ କର୍ମଚାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସରକାରଙ୍କ ଉପଲବ୍ଧି ସହ ଅଞ୍ଚଳର ବିକାଶ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଯୋଗଦେଇଥିଲେ। ସେ କହିଲେ ଯେ କେନ୍ଦ୍ରରେ ମୋଦି ସରକାର ଲଗାତାର ୧୨ ବର୍ଷ ଧରି ସ୍ଥିରତା ସହ ଶାସନ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଗତ ୧୨ ବର୍ଷରେ ଦେଶରେ ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି। ସାଂସଦ ଆହୁରି କହିଥିଲେ ଯେ "ବିକଶିତ ଭାରତ @ ୨୦୪୭"ର ପରିକଳ୍ପନାକୁ ସାକାର କରିବାପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ ସହଭାଗିତା ଆବଶ୍ୟକ। ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାରେ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମିଳନୀରେ ଯୋଗଦେଇଥିବା ଅବସର ପ୍ରାପ୍ତ କର୍ମଚାରୀ ଓ ବୁଦ୍ଧିଜୀବୀମାନେ ଖଡ଼ିଆଳ ଅଞ୍ଚଳର ବିକାଶ ପାଇଁ କିଛି ପ୍ରମୁଖ ଦାବି ଉପସ୍ଥାପନା କରିଥିଲେ। ସେମାନେ ସାଂସଦ ସମ୍ମୁଖରେ ଦାବି ରଖିଥିଲେ ଯେ ଖଡ଼ିଆଳକୁ ରେଳପଥ ସଂଯୋଗ,ତିଖାଳି ନିମ୍ନ ଇନ୍ଦ୍ରରେ ମେଗା ପାଇପ୍ ଲାଇନ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଉଦନ୍ତୀ ବ୍ୟାରେଜ ନିର୍ମାଣ, ଖଡ଼ିଆଳ ମହିଳା ଡିଗ୍ରୀ କଲେଜ ପାଇଁ ଜମି ପ୍ରଦାନ ଓ ଅସ୍ଥାୟୀ ସ୍ୱୀକୃତି, ଖଡିଆଳ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ଯବସ୍ଥା , ଖଡିଆଳ ମୁଖ୍ଯ ରାସ୍ତାରେ ଡିଭାଇଡର ନିର୍ମାଣ ଭଲି ଅନେକ କିଛି। ସାଂସଦ ଏହି ସମସ୍ତ ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଏହି ସମ୍ମିଳନୀରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଅବସର ପ୍ରାପ୍ତ ଶିକ୍ଷକ, ସରକାରୀ କର୍ମଚାରୀ ଏବଂ ମହିଳାମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତେ ମୋଦି ସରକାରଙ୍କ ଜନହିତକର ଯୋଜନା ଯଥା ଉଜ୍ଜ୍ୱଳା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ନପୂର୍ଣ୍ଣା ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ।ଶେଷରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ସଂକଳ୍ପ ନିଆଯାଇଥିଲା।