ଘାଇରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ତିନିଦିନ ହେଲା ଅନ୍ଧାରରେ ୧୦୦ ପରିବାର
ବରୀ, ୩୧/୦୭ ( ରଂଜିତ ମହାନ୍ତି ) : ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ଫଳରେ ବରୀ ବ୍ଲକ ଅରୁଆଳ ଠାରେ ଏକ ଘାଇ ହୋଇଥିଲା । ୫୦ ଫୁଟରୁ ଅଧିକ ଏହି ଘାଇ ହେବା ଫଳରେ କିଛି ଗଛ ସହିତ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ପଡିଥିଲା । ଏହା ସହିତ ଏହି ଖୁଣ୍ଟରେ ସଂଯୋଗ ହୋଇଥିବା ବିଦ୍ୟୁତ କେବୁଲ ମଧ୍ୟ ଛିଣ୍ଡି ପଡିଥିଲା । ଏହା ଫଳରେ ଅରୁଆଳ ଗ୍ରାମକୁ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଛି । ଫଳରେ ଗ୍ରାମର ଶହେରୁ ଅଧିକ ଘର ଏବେ ଅନ୍ଧାରରେ ରହିଛନ୍ତି । ଏ ନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଅବଗତ ମଧ୍ୟ କରିଛନ୍ତି । ଆଜି ବ୍ରହ୍ମଣୀର ବନ୍ୟା ଜଳ କମିବା ଫଳରେ ଘାଇରେ ବନ୍ୟା ସ୍ରୋତ ମଧ୍ୟ ହ୍ରାସ ପାଇଛି । ଆସନ୍ତା କାଲି ଘାଇରୁ ବନ୍ୟା ଜଳ ସମ୍ପୂର୍ଣ୍ଣ ଶୁଖିଯିବା ଆଶା କରାଯାଉଛି । ତେଣୁ ଆସନ୍ତାକାଲି ବିଦ୍ୟୁତ ବିଭାଗ ତୁରନ୍ତ ନୂତନ ଖୁଣ୍ଟ ପକାଇ ଗ୍ରାମକୁ ବିଦ୍ୟୁତ ସଂଯୋଗ ଦେବାକୁ ଗ୍ରାମବାସୀଙ୍କ ସହିତ ଜ୍ୟୋତି ରଞ୍ଜନ କର ଦାବି କରିଛନ୍ତି ।