Hot Posts

6/recent/ticker-posts

୧୫ ଦିନ ଧରି ଅନ୍ଧକାରରେ କର୍ଲାଖମାର ଗ୍ରାମ: ବିଦ୍ୟୁତ ବିଭାଗର ଅବହେଳାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ, ୪ ଦିନ ମଧ୍ୟରେ ସମାଧାନର ପ୍ରତିଶ୍ରୁତି

ନୂଆପଡ଼ା, ୦୨/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କର୍ଲାଖମାର ଗ୍ରାମରେ ଗତ ୧୫ ଦିନ ଧରି ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଗ୍ରାମବାସୀ ଚରମ ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ମୁଖ୍ୟ ବିଦ୍ୟୁତ ତାର ପୋଡ଼ି ଯାଇଥିବାରୁ ସମଗ୍ର ଗ୍ରାମ ଅନ୍ଧକାରରେ ରହିଛି। ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ସ୍ଥାୟୀ ସମାଧାନ ନ ହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର କ୍ଷୋଭ ଦେଖାଦେଇଛି। ବିଦ୍ୟୁତ ବିଛିନ୍ନ ହୋଇଥିବାରୁ ଗ୍ରାମର ପ୍ରାୟ ସମସ୍ତ ପରିବାର ଅନ୍ଧକାରରେ ରାତି କାଟୁଛନ୍ତି। ଛାତ୍ରଛାତ୍ରୀମାନେ ରାତିରେ ପାଠପଢ଼ା କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବୃଦ୍ଧ, ମହିଳା ଓ ଶିଶୁମାନେ ମଧ୍ୟ ନାନା ସମସ୍ୟା ଭୋଗୁଛନ୍ତି। ପାନୀୟ ଜଳ ଯୋଗାଣ, ମୋବାଇଲ ଚାର୍ଜିଂ, ଛୋଟ ବ୍ୟବସାୟ ଓ ଦୈନନ୍ଦିନ ଜୀବନର ଅନେକ କାର୍ଯ୍ୟ ବିଦ୍ୟୁତ ଅଭାବରେ ପ୍ରଭାବିତ ହୋଇଛି। ବର୍ଷା ଋତୁରେ ଅନ୍ଧକାର ଯୋଗୁଁ ସାପ ଓ ଅନ୍ୟାନ୍ୟ ବିଷାକ୍ତ ଜନ୍ତୁଙ୍କ ଭୟ ମଧ୍ୟ ବଢ଼ିଯାଇଥିବାରୁ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ବାରମ୍ବାର ସିନାପାଲି ବିଦ୍ୟୁତ ବିଭାଗକୁ ଲିଖିତ ଓ ମୌଖିକ ଭାବେ ସମସ୍ୟା ସମ୍ପର୍କରେ ଜଣାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କେବଳ ଆଶ୍ୱାସନ ମିଳିଥିଲା, କିନ୍ତୁ ତାର ବଦଳାଇବା କିମ୍ବା ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନଥିଲା। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ବିଦ୍ୟୁତ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ବଢ଼ିଚାଲିଛି। ଶେଷରେ ଅଞ୍ଚଳର ଯୁବ ନେତା ଡ.ପ୍ରଦୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏବଂ ଗ୍ରାମର ଯୁବକ, ମହେଶ ବଞ୍ଜରା, ଧନଞ୍ଜୟ, ନେପାଳ, ପୁସ୍ତମ, ଭୁଜବଳ, ଲିଙ୍ଗରାଜ, ପିଣ୍ଟୁ, ସୁବସ ବଞ୍ଜରା ଏକ ପ୍ରତିନିଧି ଦଳ ସିନାପାଲି ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚି କନିଷ୍ଠ ଯନ୍ତ୍ରୀଙ୍କ ସହ ସାକ୍ଷାତ କରି ତୁରନ୍ତ ବିଦ୍ୟୁତ ସେବା ପୁନଃସ୍ଥାପନ କରିବାକୁ ଦାବି କରିଥିଲେ। ଆଲୋଚନା ପରେ କନିଷ୍ଠ ଯନ୍ତ୍ରୀ ଗ୍ରାମବାସୀଙ୍କୁ ଆଗାମୀ ଚାରି ଦିନ ମଧ୍ୟରେ ପୋଡ଼ିଯାଇଥିବା ବିଦ୍ୟୁତ ତାର ପରିବର୍ତ୍ତନ କରାଯାଇ ସ୍ୱାଭାବିକ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଡ଼.ପ୍ରଦୀପ କୁମାର ପ୍ରଧାନ କହିଛନ୍ତି, ଦୀର୍ଘ ୧୫ ଦିନ ଧରି ଗ୍ରାମବାସୀ ଅନ୍ଧକାରରେ ରହିବା ସତ୍ତ୍ୱେ ବିଦ୍ୟୁତ ବିଭାଗର ଉଦାସୀନତା ଅତ୍ୟନ୍ତ ଦୁଃଖଦ। ବିଭାଗ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଚାରି ଦିନ ମଧ୍ୟରେ ବିଦ୍ୟୁତ ସେବା ସ୍ୱାଭାବିକ ନହେଲେ ଗ୍ରାମବାସୀଙ୍କୁ ସାଙ୍ଗରେ ନେଇ ଶାନ୍ତିପୂର୍ଣ୍ଣ ଗଣ ଆନ୍ଦୋଳନ କରାଯିବ ଏବଂ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ବିଦ୍ୟୁତ ବିଭାଗ ବହନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।ଗ୍ରାମବାସୀମାନେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି।