ରକ୍ତଦାନ କରି ଅସହାୟ ମହିଳାଙ୍କ ଜୀବନ ବଞ୍ଚାଇଲେ ସମାଜସେବୀ ପବିତ୍ର ଦେଉଡି
ଝରିଗାଁ, ୧୬/୦୭ (ନକୁଲ ଭତରା) : ରକ୍ତଦାନ ହେଉଛି ମହାଦାନ। ଏହାର ଆଉ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ସମାଜସେବୀ ପବିତ୍ର ଦେଉଡି। ନିଜକୁ ଜଣେ ନିଷ୍ଠାବାନ ସମାଜସେବୀ ଭାବେ ପରିଚିତ କରିଥିବା ପବିତ୍ର ଦୀର୍ଘଦିନ ଧରି ଅସହାୟ ଓ ଗରିବ ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି। ଡିଏନକେ ପୂର୍ଲା ଗ୍ରାମର ସୁଜନଙ୍କ ମା' ଗର୍ଭାଶୟ (ଉଟେରସ୍) ଟ୍ୟୁମରର ଅସ୍ତ୍ରୋପଚାର ପରେ ରକ୍ତ ଅଭାବରେ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଖ୍ରୀଷ୍ଟିୟାନ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଜରୁରୀ ଭାବେ ରକ୍ତର ଆବଶ୍ୟକତା ଥିଲେ ମଧ୍ୟ ବହୁ ଖୋଜାଖୋଜି ସତ୍ତ୍ୱେ ଉପଯୁକ୍ତ ରକ୍ତଦାତା ମିଳୁନଥିଲେ। ଏହି ଖବର ପାଇବା ପରେ ସମାଜସେବୀ ପବିତ୍ର ଦେଉଡି ବିଳମ୍ବ ନକରି ନବରଙ୍ଗପୁର ଖ୍ରୀଷ୍ଟିୟାନ ହସ୍ପିଟାଲରେ ପହଞ୍ଚି ସ୍ୱଇଚ୍ଛାରେ ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଥିଲେ। ତାଙ୍କର ଏହି ମାନବିକ ପଦକ୍ଷେପ ରୋଗୀ ପରିବାର ପାଇଁ ନୂଆ ଆଶାର ସଞ୍ଚାର କରିଥିଲା। ପବିତ୍ର ଦେଉଡି ଏପର୍ଯ୍ୟନ୍ତ ୨୬ ଥର ରକ୍ତଦାନ କରି ଅନେକ ଅସହାୟ ରୋଗୀଙ୍କ ଜୀବନ ବଞ୍ଚାଇ ସମାଜ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ପାଲଟିଛନ୍ତି। ତାଙ୍କର ଏହି ନିଷ୍ଠାପୂର୍ଣ୍ଣ ସମାଜସେବାକୁ ସବୁ ମହଳରେ ଭୂୟସୀ ପ୍ରଶଂସା କରାଯାଉଛି। ତାଙ୍କର ଏହି ମହତ୍ କାର୍ଯ୍ୟ "ରକ୍ତଦାନ ମହାଦାନ" ବାର୍ତ୍ତାକୁ ଆହୁରି ସୁଦୃଢ଼ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱଇଚ୍ଛାରେ ରକ୍ତଦାନ କରିବା ପାଇଁ ପ୍ରେରିତ କରୁଛି। ଅଞ୍ଚଳବାସୀ ପବିତ୍ର ଦେଉଡିଙ୍କ ଏହି ମାନବିକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ଜଣେ ପ୍ରକୃତ ସମାଜସେବୀ ଭାବେ ସମ୍ମାନ ଜଣାଉଛନ୍ତି। ତାଙ୍କର ଏଭଳି ନିଷ୍କାମ ସେବାଭାବ ସମାଜ ପାଇଁ ଏକ ଅନୁକରଣୀୟ ଉଦାହରଣ ହୋଇପାରିଛି।