Hot Posts

6/recent/ticker-posts

ଛାତ୍ରଛାତ୍ରୀଙ୍କ କଳାପ୍ରତିଭାକୁ ମଞ୍ଚ ଦେବ ‘ରେଡିଓ ସ୍ୱର ସଙ୍ଗମ’, ଅଗଷ୍ଟ ୯ରେ ସାଂସ୍କୃତିକ ପ୍ରତିଯୋଗିତା

ସିନାପାଲି, ୩୧/୦୭ ( ପରମେଶ୍ୱର ମେହେର ) : ଦେଶର ୮୦ତମ ସ୍ୱାଧୀନତା ଦିବସକୁ ଆକର୍ଷଣୀୟ ଓ ସ୍ମରଣୀୟ ଢଙ୍ଗରେ ପାଳନ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁଚି ରହିଥିବା କଳାପ୍ରତିଭାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ରେଡିଓ ସ୍ୱର ସଙ୍ଗମ ୯୦.୮ ଏଫଏମ୍ ପକ୍ଷରୁ ଏକ ସ୍କୁଲସ୍ତରୀୟ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ସ୍ୱର ସଙ୍ଗମ କଳା ପରିଷଦ ପରିଚାଳିତ ଏହି କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୯ (ରବିବାର) ସକାଳ ୯.୩୦ଟାରେ ସିନାପାଲି ସ୍ଥିତ ପିଏମ୍ ଶ୍ରୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।ପ୍ରତିଯୋଗିତାରେ ଦୁଇଟି ବିଭାଗ ରଖାଯାଇଛି। ଜୁନିୟର ବର୍ଗରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଏବଂ ସିନିୟର ବର୍ଗରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ। ପ୍ରତ୍ୟେକ ବିଦ୍ୟାଳୟରୁ ପ୍ରତ୍ୟେକ ପ୍ରତିଯୋଗିତା ପାଇଁ ସର୍ବାଧିକ ଦୁଇଜଣ ପ୍ରତିଯୋଗୀଙ୍କୁ ସୁଯୋଗ ଦିଆଯିବ।ଆୟୋଜକମାନଙ୍କ ମତାନୁସାରେ, ଏହିପ୍ରତିଯୋଗିତା କେବଳ ଏକ ସାଂସ୍କୃତିକ ଆୟୋଜନ ନୁହେଁ, ବରଂ ଯୁବପିଢ଼ୀଙ୍କ ମଧ୍ୟରେ ଦେଶପ୍ରେମ, ସୃଜନଶୀଳତା ଓ ସାଂସ୍କୃତିକ ଚେତନାକୁ ଆହୁରି ସୁଦୃଢ଼ କରିବାର ଏକ ଅଭିନବ ପ୍ରୟାସ। ଗ୍ରାମାଞ୍ଚଳର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଏକ ବଡ଼ ମଞ୍ଚ ପ୍ରଦାନ କରି ସେମାନଙ୍କ କଳା ପ୍ରଦର୍ଶନର ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ସ୍ୱାଧୀନତା ଦିବସର ପବିତ୍ର ଅବସରକୁ ନେଇ ଆୟୋଜିତ ଏହି ସାଂସ୍କୃତିକ ଉତ୍ସବରେ ଅଞ୍ଚଳର ସମସ୍ତ ବିଦ୍ୟାଳୟ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆୟୋଜକ ସଂସ୍ଥା ଆହ୍ୱାନ ଜଣାଇଛି। ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଦେଶପ୍ରେମର ବାର୍ତ୍ତା ପ୍ରସାର ସହ ଯୁବପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ଦିଗରେ ଏହି ପଦକ୍ଷେପ ସଫଳ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ମାନେ ଆଶା ପ୍ରକାଶ କରିଛନ୍ତି।