Hot Posts

6/recent/ticker-posts

ଚାନ୍ଦିନୀ ଚୌକ ରଥଯାତ୍ରା ପ୍ରସ୍ତୁତି ତଦାରଖ କଲେ ମେୟର ସୁବାସ ସିଂହ, ଅଧିକାରୀଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ

କଟକ, ୦୨/୦୭ ( କାହୁଁ ଚରଣ ବାରିକ ) : ଚାନ୍ଦିନୀ ଚୌକ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମେୟର ସୁବାସ ସିଂହ ଓ ସିଏମସି କମିଶନର ସୁଶ୍ରୀ କିରଣ ଦୀପ କୌର ସହୋତା, ଆଜି ଆଗାମୀ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି କଟକ ସହରର ଚାନ୍ଦିନୀ ଚୌକ ରଥଯାତ୍ରା ପୀଠରେ ପ୍ରସ୍ତୁତି କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ ଓ କେଏମସି କମିଶନର। ରଥଯାତ୍ରା ସମୟରେ ଭକ୍ତମାନଙ୍କୁ କୌଣସି ଅସୁବିଧା ନ ହେବା ସହ ସମସ୍ତ ନାଗରିକ ସୁବିଧା ସୁନିଶ୍ଚିତ କରିବା ପାଇଁ ସ୍ଥଳ ପରିଦର୍ଶନ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ସମୟରେ ରଥ ଟାଣିବା ମାର୍ଗ, ରାସ୍ତାର ପରିଷ୍କାର-ପରିଚ୍ଛନ୍ନତା, ଆବର୍ଜନା ଅପସାରଣ, ପାନୀୟ ଜଳ ଯୋଗାଣ, ଆଲୋକୀକରଣ, ଅସ୍ଥାୟୀ ଶୌଚାଳୟ, ଡ୍ରେନ୍ ସଫେଇ, ଜଳ ନିଷ୍କାସନ ବ୍ୟବସ୍ଥା, ବ୍ୟାରିକେଡିଂ ଏବଂ ଜନସମାଗମ ନିୟନ୍ତ୍ରଣ ସମ୍ପର୍କିତ ପ୍ରସ୍ତୁତିର ସବିଶେଷ ଅନୁଧ୍ୟାନ କରାଯାଇଥିଲା। ଯେଉଁଠାରେ ଅଧିକ କାର୍ଯ୍ୟ ବାକି ରହିଛି, ସେସବୁକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମେୟର ଶ୍ରୀ ସୁବାସ ସିଂହ କହିଥିଲେ ଯେ, ରଥଯାତ୍ରା କଟକର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାର ଏକ ମହାନ ପର୍ବ। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ସେମାନଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ସିଏମସି ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରାଯିବ ଏବଂ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ପର୍ବକୁ ସଫଳ କରାଯିବ। ସିଏମସି କମିଶନର ମଧ୍ୟ ପ୍ରତ୍ୟେକ ବିଭାଗକୁ ନିଜ ଦାୟିତ୍ୱ ସଠିକ୍ ଭାବେ ପାଳନ କରିବା, ନିରନ୍ତର ସଫେଇ କାର୍ଯ୍ୟ ଜାରି ରଖିବା, ଜଳବନ୍ଦୀ ସ୍ଥିତି ଉପରେ ସତର୍କ ନଜର ରଖିବା ଓ ଜରୁରୀ ସେବାକୁ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ରଥଯାତ୍ରା ସମୟରେ ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଥିଲେ। ଏହି ପରିଦର୍ଶନରେ ସିଏମସିର ବରିଷ୍ଠ ଅଧିକାରୀ, ଇଞ୍ଜିନିୟର, ସ୍ୱାସ୍ଥ୍ୟ ଶାଖା, ପରିମଳ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀମାନେ, ଆରତୀ ସାହୁ ଶାନ୍ତି କମିଟି ସମ୍ପାଦକ ଭିକାରି ଦାସ,ପ୍ରତାପ କିଶୋର ସିଂ, ଆଇନିଜୀବି ବିଶ୍ଵନାଥ ଦାସ ,ଦିଲୀପ କୁମାର ଦଳାଇ ,ଆନନ୍ଦ କୁମାର ଦାସ ,ଦିଲୀପ କୁମାର ପ୍ରଧାନ ,ଅଜୟ କୁମାର ଦାସ , ମନ୍ଦିର କମିଟି କର୍ମକର୍ତା ଉପସ୍ଥିତ ରହି ପ୍ରସ୍ତୁତି ସମ୍ପର୍କରେ ମେୟର ଓ କମିଶନରଙ୍କୁ ଅବଗତ କରାଇଥିଲେ। ସମସ୍ତ ବିଭାଗର ସମନ୍ୱିତ ପ୍ରୟାସରେ ଚଣ୍ଡିନୀଚୌକର ରଥଯାତ୍ରାକୁ ସୁରକ୍ଷିତ, ସ୍ୱଚ୍ଛ ଓ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ସିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି।