ସିନାପାଲି ସହର ବର୍ଷାରେ ଜଳମଗ୍ନ: ପ୍ରଶାସନ ଓ PWD ବିଭାଗର ଅବହେଳା ନେଇ ଜନଅସନ୍ତୋଷ
ସିନାପାଲି, ୨୨/୦୬ ( ପରମେଶ୍ୱର ମେହେର ) : ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ନୂଆପଡ଼ା ଜିଲ୍ଲା ସିନାପାଲି ସହର ର ଦୁର୍ବଳ ଭିତ୍ତିଭୂମିର ପର୍ଦ୍ଦାଫାସ ହୋଇଛି। ସାମାନ୍ୟ ବର୍ଷାରେ ସହରର ଅନେକ ରାସ୍ତା ଓ ଗଳିକନ୍ଦି ଜଳମଗ୍ନ ହୋଇ ପଡ଼ୁଥିବା ବେଳେ ଲୋକଙ୍କ ଦୈନନ୍ଦିନ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ବିଶେଷକରି ଗୁଡ଼ିଆ ଛକରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଜମି ରହୁଥିବା ବର୍ଷାଜଳ ପ୍ରଶାସନ ଏବଂ PWD ବିଭାଗର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତିବର୍ଷ ବର୍ଷା ଆସିଲେ ଏହି ସମସ୍ୟା ଦେଖାଦେଉଥିବା ସତ୍ତ୍ୱେ ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅଳ୍ପ ସମୟର ବର୍ଷାରେ ମଧ୍ୟ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ସ୍କୁଲ ଛାତ୍ରଛାତ୍ରୀ, ବ୍ୟବସାୟୀ, ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ସାଧାରଣ ଲୋକ ଏବଂ ବୃଦ୍ଧବୃଦ୍ଧାମାନେ ବିଶେଷ ଭାବେ ହଇରାଣ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉକ୍ତ ରାସ୍ତାଟି PWD ବିଭାଗ ଅଧୀନରେ ଥିଲେ ମଧ୍ୟ ରାସ୍ତାର ମରାମତି, ଉଚ୍ଚୀକରଣ ଏବଂ ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନେଜ ବ୍ୟବସ୍ଥା ଦିଗରେ ବିଭାଗ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ। ରାସ୍ତା କଡ଼ରେ ଥିବା ନାଳୀଗୁଡ଼ିକ ପଙ୍କ, ମାଟି ଓ ଆବର୍ଜନାରେ ପୂର୍ଣ୍ଣ ହୋଇ ରହିଥିବାରୁ ବର୍ଷାଜଳ ଠିକ୍ ଭାବେ ନିଷ୍କାସିତ ହୋଇପାରୁନାହିଁ। ଫଳରେ ରାସ୍ତା ଉପରେ ଜଳ ଜମି ରହୁଛି ଏବଂ ସମସ୍ୟା ବର୍ଷକୁ ବର୍ଷ ଜଟିଳ ରୂପ ଧାରଣ କରୁଛି। ସହରବାସୀଙ୍କ ଅଭିଯୋଗ ଯେ, ଅନେକ ଥର ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ କେବଳ ଆଶ୍ୱାସନ ମିଳିଛି, କିନ୍ତୁ ବାସ୍ତବରେ କୌଣସି ସୁଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଲୋକଙ୍କ ଦାବି ହେଉଛି, ପ୍ରତିବର୍ଷ ରାସ୍ତା ମରାମତି ଓ ନାଳୀ ସଫେଇ ପାଇଁ ବଜେଟ ବ୍ୟବସ୍ଥା ହେଉଥିବା ସତ୍ତ୍ୱେ ତାହାର ପ୍ରଭାବ କ୍ଷେତ୍ରସ୍ତରରେ କାହିଁକି ଦେଖିବାକୁ ମିଳୁନାହିଁ? ଟିକସଦାତାଙ୍କ ଅର୍ଥ କେଉଁ କାର୍ଯ୍ୟରେ ବ୍ୟୟ ହେଉଛି ବୋଲି ମଧ୍ୟ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି। ବର୍ଷା ଦିନରେ ଜମି ରହୁଥିବା ପାଣି ଦ୍ୱାରା ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଛି। ଅନେକ ସ୍ଥାନରେ ରାସ୍ତାର ଖାଲଖମା ଜଳ ତଳେ ଲୁଚି ରହୁଥିବାରୁ ଦୁଇଚକିଆ ଯାନ ଚାଳକମାନେ ବିପଦର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଜଳ ଜମି ରହିବା ଫଳରେ ମଶା ବଂଶ ବୃଦ୍ଧି ସହ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି। ସହରର ବିକାଶ ଏବଂ ମୌଳିକ ସୁବିଧା ପ୍ରଦାନ ନେଇ ବାରମ୍ବାର ବଡ଼ ବଡ଼ ଦାବି କରାଯାଉଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କଥା କହୁଛି। ଏକ ମୁଖ୍ୟ ରାସ୍ତାରେ ବର୍ଷାଜଳ ନିଷ୍କାସନର ଯଥେଷ୍ଟ ବ୍ୟବସ୍ଥା ନଥିବା ସହରର ଯୋଜନାବଦ୍ଧ ବିକାଶ ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ନାଳୀ ସଫେଇ, ରାସ୍ତାର ସ୍ଥାୟୀ ମରାମତି ଓ ଆଧୁନିକ ଡ୍ରେନେଜ ବ୍ୟବସ୍ଥା ନିର୍ମାଣ ପାଇଁ ଦାବି କରିଛନ୍ତି। ଯଦି ଏହି ସମସ୍ୟାର ଶୀଘ୍ର ସମାଧାନ ନ କରାଯାଏ, ତେବେ ଆଗାମୀ ଦିନରେ ଗଣଆନ୍ଦୋଳନ ଆରମ୍ଭ କରାଯିବ ବୋଲି ସହରବାସୀ ଚେତାବନୀ ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଜନସାଧାରଣଙ୍କ ଦୀର୍ଘଦିନର ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଏବଂ PWD ବିଭାଗ କେବେ ସଚେତନ ହେଉଛି ଓ ସିନାପାଲିବାସୀଙ୍କୁ ଏହି ଜଳବନ୍ଦୀ ସମସ୍ୟାରୁ କେବେ ମୁକ୍ତି ମିଳୁଛି।