ଭଞ୍ଜନଗର, ୨୨/୦୬ ( ଜେ.କେ ପଟ୍ଟନାୟକ ) : ବର୍ତ୍ତମାନ ସମୟରେ ଲୋକମାନେ ନିଜ ହାତ ପାନ୍ତାରେ ସମସ୍ତ ଖବର ପାଇବା ପାଇଁ ଆଗ୍ରହ ପ୍ରକାଶ କରୁଥିବାରୁ ଡିଜିଟାଲ ମିଡ଼ିଆର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।ତେଣୁ ସମସ୍ତ ପ୍ରତିଷ୍ଠିତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡ଼ିଆ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ଡିଜିଟାଲ ଚାନେଲ ଆରମ୍ଭ କରିଛନ୍ତି।ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ସାରା ରାଜ୍ୟରେ ସମସ୍ତ ସାମ୍ବାଦିକ ମାନଙ୍କୁ ଏକାଠି କରି ସଙ୍ଗଠନକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଚିକିଟି ଠାରେ ରାଜ୍ୟ ସଭାପତି ମନୋଜ ଶତପଥିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ତହସିଲ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମ୍ପାଦକ କବିରାଜ ପାତ୍ର, କାର୍ଯ୍ୟକାରିଣୀ ସଭାପତି ମୀରା ବାଇ ଦେଓ, ଅଞ୍ଚଳର ବରିଷ୍ଠ ସାମ୍ବାଦିକ ବିଭୂଧେନ୍ଦ୍ର ପାଢ଼ୀ,ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଣ୍ଡା, ଡିଜିଟାଲ ମିଡ଼ିଆ ଗଞ୍ଜାମ ଜିଲ୍ଳା ସଭାପତି ଅମରେନ୍ଦ୍ର ପଟ୍ଟନାୟକ,ସମ୍ପାଦକ ବିନୋଦ ପଣ୍ଡା, ଚିକିଟି ଡିଜିଟାଲ ପ୍ରିଣ୍ଟ ମିଡ଼ିଆ ସଭାପତି ନିଗମାନନ୍ଦ ପଣ୍ଡା ଏବଂ ସଙ୍ଘର ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।ବୈଠକରେ ସଙ୍ଗଠନର ଲକ୍ଷ୍ୟ ଓ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଆଗାମୀ ଦିନରେ ସଂଘ କିଭଳି ସରକାରଙ୍କ ନିକଟତର ହୋଇ ନିଜର ଦାବି ହାସଲ କରିପାରିବ।ଏଥିସହ ରାଜ୍ୟର ସମସ୍ତ ଜିଲ୍ଲାରେ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ କରି ସମସ୍ତଙ୍କ ମଧ୍ୟରେ ଏକତା ବଜାୟ ରହିବ ଏବଂ ସତ୍ୟ ଖବରକୁ ଲୋକ ଲୋଚନକୁ ଆଣିବା ଏବଂ ସହ ନିଜର ଖବର ଉପସ୍ଥାପନ କିପରି ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ହୋଇ ଚର୍ଚ୍ଚିତ ହେବ ସେସମ୍ପର୍କରେ ଅତିଥିମାନେ ନିଜର ମତ ଦେଇଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ମିଡ଼ିଆ ପ୍ରତିନିଧିମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଅଞ୍ଚଳର ଯୁବ କଥାକାର ମନୋଜ କୁମାର କୁଣ୍ଡ ସାମ୍ବାଦିକତା ଉପରେ ଏକ ବିପ୍ଲବୀ କବିତା ପାଠ କରିଥିଲେ। ସମ୍ପାଦକ ଅରୁଣ ପଣ୍ଡା ଓ ଉପସଭାପତି ଦୀପକ ଚୌଧୁରୀ, ସାମ୍ବାଦିକ ଦୁର୍ଗାମାଧବ ମହାରଣା, ନିଗମାନନ୍ଦ ପଣ୍ଡା ଓ ଅନ୍ୟମାନେ ସହଯୋଗ କରିଥିଲେ।ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସାମ୍ବାଦିକ ଏଥିରେ ଯୋଗ ଦେଇଥିଲେ।