Hot Posts

6/recent/ticker-posts

କେନ୍ଦ୍ରର ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ବିଂଝାରପୁର ରେ କୃଷକ କର୍ମଶାଳା

ବିଂଝାରପୁର ୧୩/୦୬ (ପ୍ରଦୀପ କୁମାର ମଲ୍ଲିକ) : କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିଞ୍ଝାରପୁର ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ମା’ ଦରିଆ ନାହାକାଣୀ ମଣ୍ଡପ ପରିସରରେ ଏକ କୃଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଜେପି ମଣ୍ଡଳ ସଂଯୋଜକ ନିରଞ୍ଜନ ବେଉରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କୃଷକ, ଦଳୀୟ କର୍ମୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ବବିତା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। କୃଷି କ୍ଷେତ୍ରର ଉନ୍ନତି, କୃଷକଙ୍କ ଆୟ ବୃଦ୍ଧି ଏବଂ ଆଧୁନିକ କୃଷି ପଦ୍ଧତିର ପ୍ରସାର ପାଇଁ ସରକାର ସଦା ତତ୍ପର ରହିଥିବା ସେ କହିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ଯାଜପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୀତାନାଥ ବଳ ସାମନ୍ତ କୃଷକମାନଙ୍କୁ ସରକାରୀ ଯୋଜନାର ସଠିକ୍ ସୁବିଧା ଉଠାଇବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ଫସଲ ବୀମା ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, କୃଷି ଯାନ୍ତ୍ରିକୀକରଣ ସହ ବିଭିନ୍ନ ଯୋଜନା କୃଷକମାନଙ୍କ ଜୀବନଧାରାରେ ସକାରାତ୍ମକ ପରିବର୍ତ୍ତନ ଆଣିଛି। ଏହି ସବୁ ଯୋଜନା ମାଧ୍ୟମରେ କୃଷକମାନେ ଆର୍ଥିକ ଭାବେ ସଶକ୍ତ ହେବା ସହ କୃଷି ଉତ୍ପାଦନ ବୃଦ୍ଧି କରିପାରୁଛନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ। ସାଂସଦ ପ୍ରତିନିଧି ପୁରୁଷୋତ୍ତମ ବେହେରା ମଧ୍ୟ ଉପସ୍ଥିତ ରହି କୃଷି କ୍ଷେତ୍ରରେ ସରକାରଙ୍କ ଦୂରଦର୍ଶୀ ନୀତି ଓ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇଥିଲେ। କୃଷକମାନଙ୍କ ସମସ୍ୟାର ସମାଧାନ ଏବଂ ସେମାନଙ୍କ ଜୀବନମାନର ଉନ୍ନତି ସରକାରଙ୍କ ପ୍ରାଥମିକତା ବୋଲି ସେ କହିଥିଲେ। ଏହି ଅବସରରେ ୬ଟି ମଣ୍ଡଳ ସଂଯୋଜକଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ। ବକ୍ତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧି ଉପରେ ଆଲୋଚନା କରିବା ସହ କୃଷକମାନଙ୍କ ଉନ୍ନତି ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ବିଷୟରେ ବିସ୍ତୃତ ଭାବେ ମତ ରଖିଥିଲେ। ସେମାନେ କୃଷିକୁ ଲାଭଜନକ ଓ ଆଧୁନିକ କରିବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସର ପ୍ରଶଂସା କରିଥିଲେ। କର୍ମଶାଳାରେ ଉପସ୍ଥିତ କୃଷକମାନଙ୍କ ସହ ମତବିନିମୟ କରାଯିବା ସହ ସେମାନଙ୍କ ସମସ୍ୟା ଓ ପ୍ରସ୍ତାବ ଶୁଣାଯାଇଥିଲା। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କେତେକ କୃଷକଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ଦ୍ୱାରା କୃଷକମାନଙ୍କ ମନୋବଳ ବୃଦ୍ଧି ପାଇବା ସହ ଅନ୍ୟମାନେ ମଧ୍ୟ ଉତ୍ସାହିତ ହେବେ ବୋଲି ବକ୍ତାମାନେ କହିଥିଲେ। ଶେଷରେ ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ଅତିଥି, କୃଷକ ଓ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଯାଇଥିଲା। କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିବା ବେଳେ କୃଷକମାନଙ୍କ ମଧ୍ୟରେ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି କରିବାରେ ଏହା ଏକ ଫଳପ୍ରଦ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।