ମାଲକାନଗିରି, ୧୬/୦୬ ( ଶରତ ଚନ୍ଦ୍ର ଖରା ) : ଜଙ୍ଗଲ ରେ ଶାଳମଞ୍ଜି ଗୋଟାଇବା ହେଲା କାଳ, ବିଦ୍ୟୁତ ଆଘାତ ରେ ଜଣେ ମୃତ, ଜଣେ ଆହତ ହୋଇଥିବାର ଜଣାପଡିଛି। ବିଦ୍ୟୁତ ସଂସ୍ପର୍ଶ ରେ ଆସି ଛଟପଟ ହେଉ ଥିବା ଜଣେ ମହିଳା ଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ବୃଦ୍ଧ ଙ୍କର ମୃତ୍ୟୁ ଘଟିଛି, ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲାସ୍ଥ ପଦ୍ମଗିରି ପଞ୍ଚାୟତ ଯଦୁଗିଡା ଗ୍ରାମରେ ଘଟିଛି। ପୁଲିସ ସୂଚନାନୁସାରେ, ଯଦୁଗୁଡା ଅଂଚଳର ଯମୁନା ମାଡକାମୀ ନିଜର କିଛି ସାଥୀଙ୍କ ସହ ଶାଳ ମଞ୍ଜି ଗୋଟାଇବାକୁ ନିକଟ ସ୍ଥ ଜଂଗଲକୁ ଯାଇଥିଲେ।ଶାଳ ମଞ୍ଜି ସଂଗ୍ରହ କରି କରି ପରସ୍ପର ଠାରୁ ଦୂରେଇ ଯାଇଥିଲେ। ଯମୁନା ମଧ୍ୟ ଏକ ବାଉଁଶ ବାଡି ଧରି ଶାଳ ମଞ୍ଜି ଗୋଟାଉଥିଲେ। ଗଛ ଡାଳ କୁ ଏକ କଞ୍ଚା ବାଉଁଶ ରେ ବାଡେଇ ମଞ୍ଜି ତୋଳୁ ଥିବା ବେଳେ ବାଉଁଶ ବାଡିଟି ଗଛ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ଲାଇନ ତାର ସଂସ୍ପର୍ଶରେ ଆସିଥିଲା। ବିଦ୍ୟୁତ୍ ଆଘାତରେ ଯମୁନା ଥରି ଉଠି ଚିତ୍କାର କରିଥିଲା। ଦୈବାତ୍ ଏହି ସମୟରେ ଗ୍ରାମର ସମ୍ବାରୁ ମାଡକାମୀ ନାମକ ଜଣେ ବୃଦ୍ଧ ନିକଟସ୍ଥ ଏକ ନଦୀରୁ ଗାଧୋଇ ଘରକୁ ଫେରୁଥିଲେ। ଯମୁନାଙ୍କ ଅବସ୍ଥା ଦେଖି ସେ ବାଉଁଶକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କ ଶରୀର ଓଦା ଥିବାରୁ ସେ ବାଉଁଶରେ ଲାଗିଯାଇଥିଲେ ଏବଂ ଯମୁନା ଦୂରକୁ ଛିଟିକି ପଡ଼ି ବଞ୍ଚିଯାଇଥିଲେ। ବିଦ୍ୟୁତ୍ ଆଘାତରେ ସମ୍ବାରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥା ରେ ଯମୁନାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ନେଇ ଚିକିତ୍ସା କରିଥିଲେ। ଯମୁନାଙ୍କ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ଘଟଣାସ୍ଥଳ ରେ ମାଲକାନଗିରି ଆଦର୍ଶ ଥାନା ପୁଲିସ ପହଁଚି ମୃତବଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।ମୃତ ସମ୍ବାରୁ ଓ ଆହତ ଯମୁନା ଅତ୍ୟନ୍ତ ଗରିବ ଆଦିବାସୀ ସାମ୍ପ୍ରଦାୟ ର,ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।
