Hot Posts

6/recent/ticker-posts

ସିଏଡିଏ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୧୫ ପ୍ଲଟ୍ ସହ ବିପୁଳ ସମ୍ପତ୍ତି ଠାବ

କଟକ, ୨୩/୦୬ ( କାହୁଁ ଚରଣ ବାରିକ ) : ଅନୁପାତହୀନ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (ସିଏଡିଏ) ଡିଭିଜନର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ସମ୍ପର୍କିତ ସମ୍ପତ୍ତି ଉପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉ ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ହୋଇଥିବା ତଲାସିରେ ତାଙ୍କ ଏବଂ ପରିବାର ସଦସ୍ୟଙ୍କ ନାମରେ ଦୁଇଟି ବହୁତଳ କୋଠା, ୧୫ଟି ମୂଲ୍ୟବାନ ପ୍ଲଟ, ନଗଦ ୩ ଲକ୍ଷ ୪୫ ହଜାର ଟଙ୍କା, ତିନୋଟି ଚାରିଚକିଆ ଯାନ, ଗୋଟିଏ ଜେସିବି ମେସିନ୍ ସହ ବିଭିନ୍ନ ସମ୍ପତ୍ତି ଠାବ କରାଯାଇଛି। ଭିଜିଲାନ୍ସ ସୂଚନା ଅନୁଯାୟୀ କଟକର ବିଦ୍ୟାଧରପୁର ଅଞ୍ଚଳରେ ପ୍ରାୟ ୭ ହଜାର ବର୍ଗଫୁଟ ଅଞ୍ଚଳ ବିଶିଷ୍ଟ ଏକ ତିନି ମହଲା ବିଶିଷ୍ଟ ଆଲିଶାନ ଘର ଏବଂ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମୁଖାଳିଶ ଅଞ୍ଚଳରେ ୧୪୬୫ ବର୍ଗଫୁଟ ବିଶିଷ୍ଟ ଏକ ଦୁଇ ମହଲା କୋଠା ଚିହ୍ନଟ ହୋଇଛି। ଏହାଛଡ଼ା ଭୁବନେଶ୍ୱର, କଟକ, ଯାଜପୁରର କୋରେଇ, ବାଲେଶ୍ୱରର ବସ୍ତା ଓ ପୁରୀର ଡେଲାଙ୍ଗ ଅଞ୍ଚଳରେ ମୋଟ ୧୫ଟି ମୂଲ୍ୟବାନ ପ୍ଲଟ ଥିବା ଜଣାପଡ଼ିଛି। ଏହି ସମସ୍ତ ସ୍ଥାବର ସମ୍ପତ୍ତିର ମାପଜୋଖ ଓ ବଜାର ମୂଲ୍ୟ ନିର୍ଣ୍ଣୟ କାର୍ଯ୍ୟ ଭିଜିଲାନ୍ସର ଟେକ୍ନିକାଲ ୱିଙ୍ଗ ପକ୍ଷରୁ ଜାରି ରହିଛି। ତଲାସି ବେଳେ ୩ ଲକ୍ଷ ୪୫ ହଜାର ଟଙ୍କା ନଗଦ ସହ ଶ୍ରୀଲଙ୍କା, ନେପାଳ, ବାହାରିନ ଓ ଆମେରିକାର ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଛି। ସେହିପରି ବ୍ୟାଙ୍କ ଓ ଡାକଘର ଜମାରାଶି ସହ ବିଭିନ୍ନ ଆର୍ଥିକ ନିବେଶର ଖୋଜଖବର ନିଆଯାଉଛି। ଏଥିସହ ଗୋଟିଏ ଜେସିବି ମେସିନ୍, ଟୟୋଟା ଇନୋଭା, ଟାଟା ଇଣ୍ଡିଗୋ ଓ ୱାଗନ୍-ଆର୍ ଭଳି ତିନୋଟି ଚାରିଚକିଆ ଗାଡ଼ି ଏବଂ ଗୋଟିଏ ଦୁଇଚକିଆ ଯାନ ଠାବ କରାଯାଇଛି। ତେବେ ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ସମ୍ପତ୍ତିର ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି।