Hot Posts

6/recent/ticker-posts

ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରା-୨୦୨୬ର ଶୁଭାରମ୍ଭ

ସୁବର୍ଣ୍ଣପୁର, ୧୪/୦୬ ( ଜଗଦିଶ ମେହେର ) : ଭାରତ ସରକାରଙ୍କ ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରା-୨୦୨୬ ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲ୍ଲାର ୩୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଆଜି ଜିଲ୍ଲା ସଂସ୍କୃତି ଭବନଠାରୁ ଏକ ସ୍ୱତନ୍ତ୍ର ବସ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ତୀର୍ଥଯାତ୍ରୀମାନେ ଆସନ୍ତାକାଲି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟସ୍ଥିତ ପ୍ରସିଦ୍ଧ ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାତ୍ରା କରିବେ। ଯାତ୍ରା ସମୟରେ ସେମାନଙ୍କର ସୁବିଧା, ସୁରକ୍ଷା ଓ ସହାୟତା ସୁନିଶ୍ଚିତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାରୁ ୩ ଜଣ ଏସ୍କର୍ଟ ମଧ୍ୟ ସେମାନଙ୍କ ସହ ଭୁବନେଶ୍ୱରକୁ ଯାତ୍ରା କରୁଛନ୍ତି। ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ତୀର୍ଥଯାତ୍ରୀ ମାନଙ୍କୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳ ପରିଦର୍ଶନର ସୁଯୋଗ ପ୍ରଦାନ କରାଯାଉଛି। ଏହି ତୀର୍ଥଯାତ୍ରୀମାନଙ୍କର ଆସନ୍ତା ୨୧ ଜୁନ୍‌ରେ ପ୍ରତ୍ୟାବର୍ତ୍ତନ କରିବାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ବହୁ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।